୩ ବର୍ଷ ହେବ ୭୫ କୋଟି ଟଙ୍କାର ହିସାବ ଦେଇନି ଶ୍ରୀ ମନ୍ଦିର ପ୍ରଶାସନ, ଶ୍ରଦ୍ଧାଳୁଙ୍କୁ ରଥରେ ନଚଢ଼ାଇବ ପାଇଁ ଦଇତାପତିଙ୍କୁ ୨ ବର୍ଷରେ ୩ କୋଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଶ୍ରୀ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଥିବା କୋଟିକୋଟି ଟଙ୍କାର ହିସାବ ଶ୍ରୀମନ୍ଦିର ପ୍ରଶାସନ ଦେଉନାହିଁ । ଗତ ୩ବର୍ଷ ହେଲାଣି ପ୍ରାୟ ଶ୍ରୀମନ୍ଦିର ପ୍ରଶାସନ ୭୫କୋଟି ଟଙ୍କାର ହିସାବ
ଦେଇନଥିଲେ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ଆର୍ଥିକ ନିୟମକୁ ଉଲ୍ଲଘଂନ କରି ବାର୍ଷିକ ଅନୁଦାନ ପ୍ରଦାନ କରିଛନ୍ତି। ଏମିତିକି ରଥଯାତ୍ରା ସମୟରେ ରଥରେ ଶ୍ରଦ୍ଧାଳୁଙ୍କୁ ନଚଢ଼ାଇବା ପାଇଁ ଦଇତାପତିମାନଙ୍କୁ କ୍ଷତିପୂରଣ ବାବଦକୁ ୨୦୧୯ ଓ ୨୦୨୦ ମସିହାରେ ମୋଟ୍ ୩.୦୩କୋଟି ଟଙ୍କା ଦିଆଯାଇଥିଲା। ତେବେ ସେଥି ମଧ୍ୟରୁ ୧.୪୪ କୋଟି ଟଙ୍କାର ହିସାବ ଦେବାରେ ଶ୍ରୀମନ୍ଦିର ପ୍ରଶାସନ ଦେଇନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏସବୁ ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) ସରକାରଙ୍କ ନିକଟରେ ଦାଖଲ କରୁନଥିଲେ ସୁଦ୍ଧା ଆଇନ ବିଭାଗ ଏ ଦିଗରେ ପ୍ରଶ୍ନ ନକରି ଚୁପ୍ ବସିଛି। ହିସାବ ନ ମାଗି ପ୍ରତିବର୍ଷ ଅନୁଦାନ ଦେଇଚାଲିଛି। ଶ୍ରୀମନ୍ଦିରକୁ ଦିଆଯାଉଥିବା ଅନୁଦାନର ଆବଶ୍ୟକ ତଦାରଖ ହେଉନଥିବାରୁ ସିଏଜି ଏବେ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ମୁତାବକ ଭୁବନେଶ୍ୱରସ୍ଥିତ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲରେ କାର୍ଯ୍ୟରତ ବରିଷ୍ଠ ଅଡିଟ୍ ଅଫିସର ଏସଏନ ସାହୁ ଗତ କିଛି ଦିନ ପୂର୍ବରୁ ଆଇନ ସଚିବଙ୍କୁ ଏନେଇ ଚିଠି ଲେଖିଥିଲେ। ଏହି ଚିଠି ଏବେ ଅନୁଦାନ ବିନିଯୋଗର ସଠିକ୍ ତଦାରଖ କରିବାରେ ଆଇନ ବିଭାଗର ବିଫଳତାକୁ ଦର୍ଶାଇଛି। ଗୋଟିଏ ଆର୍ଥିକ ବର୍ଷରେ ଦିଆଯାଇଥିବା ଅନୁଦାନ ଅର୍ଥ ଖର୍ଚ୍ଚ ହୋଇନଥିବା ବେଳେ ପୁଣି ଥରେ ସମାନ କାମ ପାଇଁ କିଭଳି ପରବର୍ତ୍ତୀ ଆର୍ଥିକ ବର୍ଷଗୁଡ଼ିକରେ ଅନୁଦାନ ଦିଆଯାଇଛି ଏବଂ ଆଇନ ବିଭାଗ ମଧ୍ୟ ଥରୁଟିଏ ବି ଏନେଇ କାହିଁକି ସ୍ପଷ୍ଟୀକରଣ ନ ମାଗି ନୀରବ ଦ୍ରଷ୍ଟା ସାଜିଛି ସେ ସମ୍ପର୍କରେ ସିଏଜି ଜାଣିବାକୁ ଚାହିଁଛନ୍ତି। ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ୍ ୧୭୧ ଅନୁସାରେ, ସରକାର ପ୍ରତିବର୍ଷ ଯେକୌଣସି ନିଜସ୍ୱ ସଂସ୍ଥା ଓ ଅନୁଷ୍ଠାନକୁ ଅନୁଦାନ ଦେଇଥାନ୍ତି। ସରକାର ଦେଇଥିବା ଅନୁଦାନ ଖର୍ଚ୍ଚ କରିବାକୁ ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସେହି ଟଙ୍କା ଖର୍ଚ୍ଚ ହୋଇନପାରେ, ତେବେ ସମ୍ପୃକ୍ତ ସଂସ୍ଥା ବା ଅନୁଷ୍ଠାନ ଉକ୍ତ ଅନୁଦାନକୁ ବର୍ଷ ଶେଷବେଳକୁ ସରକାରଙ୍କୁ ଫେରସ୍ତ କରିଥାନ୍ତି । ନଚେତ୍ ବଳକା ଅର୍ଥକୁ ପରବର୍ତ୍ତୀ ଅନୁଦାନବେଳେ ତାହା ସେହି କାର୍ଯ୍ୟ ପାଇଁ ଆଡଜଷ୍ଟ କରାଯାଇଥାଏ।

କିନ୍ତୁ ଅଡିଟ୍ ସମୟରେ ଜଣାପଡ଼ିଥିଲା ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁଦାନ ମଞ୍ଜୁରୀ କରିବାବେଳେ ଆଇନ ବିଭାଗ ଏ ଦିଗରେ କୌଣସି ବି ଦୃଷ୍ଟି ଦେଇ ନାହିଁ । କର୍ମଚାରୀଙ୍କ ଦରମା ଓ ପାରିଶ୍ରମିକ, କୋଠ ଭୋଗ ଦାନ ଯୋଜନା, ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ଓ ପର୍ବପର୍ବାଣି ପାଳନ, ଶ୍ରୀମନ୍ଦିର ଅଧ୍ୟକ୍ଷଙ୍କ ଭତ୍ତା ଓ ଅନ୍ୟାନ୍ୟ ଅନୁଦାନ, କର୍ପସ ପାଣ୍ଠି, ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟବୀମା, ଗୃହ ଯୋଜନା, ଆବାସିକ ଇଂରାଜୀ ବିଦ୍ୟାଳୟ ଇତ୍ଯାଦି ପାଇଁ ୨୦୧୮-୧୯ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ରାଜ୍ୟ ସରକାର ମୋଟ ୧୨୪.୪୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଗତ ୩ଟି ଆର୍ଥିକବର୍ଷ ମଧ୍ୟରେ ରାଜ୍ୟ ସରକାର ଦେଇଥିବା ଏହି ଅନୁଦାନ ମଧ୍ୟରୁ ମାତ୍ର ୪୯.୮୬କୋଟି ଟଙ୍କାର ଖର୍ଚ୍ଚର ହିସାବ (ୟୁସି) ଦେଇଥିବା ବେଳେ ୭୪.୫୪କୋଟି ଟଙ୍କାର ହିସାବ ଦେଇନି ଶ୍ରୀମନ୍ଦିର ପ୍ରଶାସନ ।

୨୦୧୮-୧୯ ଆର୍ଥିକ ବର୍ଷରୁ ୩ବର୍ଷ ମଧ୍ୟରେ ଦିଆଯାଇଥିବା ୧୫ କୋଟି ଟଙ୍କାର କର୍ପସ ପାଣ୍ଠି, ଆବାସିକ ଇଂରାଜୀ ସ୍କୁଲ ପାଇଁ ୬୬ଲକ୍ଷ ଟଙ୍କା, ଗରିବ ସେବାୟତଙ୍କ ପାଇଁ ୬୦ଲକ୍ଷ ଟଙ୍କାର ଗୃହ ଯୋଜନା ସାଙ୍ଗକୁ ୨୦୨୦-୨୧ରେ ଦିଆଯାଇଥିବା ୪୦କୋଟି ଟଙ୍କାର କୋଭିଡ୍ ସହାୟତାର ହିସାବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ। ସେହିପରି ଶ୍ରଦ୍ଧାଳୁଙ୍କୁ ରଥରେ ନଚଢ଼ାଇବ ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ବାବଦକୁ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୪୪କୋଟି ଏବଂ ୨୦୨୦-୨୧ରେ ୧.୫୦କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି । ତେବେ ଏହାର ହିସାବ ଶ୍ରୀ ମନ୍ଦିର ପ୍ରଶାସନ ଦେଇ ନଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଏଥିପାଇଁ ଅନୁଦାନ ଦିଆଯାଇଥିବା ଜଣାପଡ଼ିଛି।

ଶ୍ରୀମନ୍ଦିରକୁ ଦିଆଯାଇଥିବା ଅନୁଦାନ କିଭଳି ଖର୍ଚ୍ଚ ହେଉଛି,କ’ଣ ପାଇଁ ୟୁସି ଆସୁନି, ଅନୁଦାନ ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହେଉଛି କି ନାହିଁ ଏ ସମ୍ପର୍କରେ ଆଇନ ବିଭାଗ ପକ୍ଷରୁ କୌଣସି ବି ତଦାରଖ ମଧ୍ୟ ହୋଇନି। ୧୫କୋଟି ଟଙ୍କାର କର୍ପସ ପାଣ୍ଠି ଓ ପ୍ରାୟ ୧କୋଟି ଟଙ୍କାର କୋଠ ଭୋଗ ଦାନ ଯୋଜନା ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ଫିକ୍ସ ଡିପୋଜିଟ୍ ଆକାରରେ ବ୍ୟାଙ୍କରେ ଜମା କରିଛି । ଆଉ ଏହି ଅନୁଦାନର ୟୁସି ମିଳିନଥିଲେ ବି ଆଇନ ବିଭାଗ ପକ୍ଷରୁ ପୁଣିଥରେ ଏଥିପାଇଁ ଅନୁଦାନ ଦିଆଯାଇଛି । ତେଣୁ ଏସବୁ ଦିଗ ଉପରେ ଆବଶ୍ୟକ ସ୍ପଷ୍ଟୀକରଣ ଦୁଇ ଦିନ ମଧ୍ୟରେ ଦେବାକୁ ଏଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇନ ସଚିବଙ୍କୁ ଚିଠି ଲେଖାଯାଇଥିବା ଜଣାପଡିଛି।

Related Posts