5T ପରେ ବି ଯେଉଁ ଖଟିଆକୁ ସେଇ ଖଟିଆ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟବ୍ୟବସ୍ଥାରେ ଉନ୍ନତି ଆଣିବା ସରକାର ସ୍ବାସ୍ଥ୍ୟ ବିଭାଗକୁ 5T ହାତରେ ଟେକିଦେଲେ। କିନ୍ତୁ ତାଥପି ବି ସ୍ଥିତିରେ ପରିବର୍ତ୍ତନ ଆସି ନାହିଁ । ଏବେ ବି ରୋଗୀ ଖଟିଆରେ ବୁହା ହେଉଛନ୍ତି ଏବଂ ସରକାରୀ ହସ୍ପିଟାଲ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ଏହି ଅଭିଯୋଗର ଫର୍ଦ୍ଦରେ ଯୋଡ଼ି ହୋଇଛି ଆଉ ଏକ ପୃଷ୍ଠା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଗଲା । ଏହାପରେ ମୃତଦେହକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ଚାଲିଗଲେ ମେଡିକାଲ କର୍ମଚାରୀ। ଅଭିଯୋଗ ଅନୁଯାୟୀ, ଶବକୁ ମହାପ୍ରାୟାଣ ଗାଡ଼ି ନିକଟକୁ ବୋହି ନେବା ପାଇଁ ମୃତ ମହିଳାଙ୍କ ସ୍ବାମୀ ମେଡିକାଲ କର୍ମଚାରୀଙ୍କ ନିକଟରେ କାକୁତି ମିନତି ହୋଇଥିଲେ । ହେଲେ ଷ୍ଟାଫ ନର୍ସ ଏବଂ ଅନ୍ୟ କର୍ମଚାରୀ ମାନେ ଶବକୁ ନେବା ପାଇଁ ବ୍ୟବସ୍ଥା କରିବା ପରିବର୍ତ୍ତେ ନିଜ ସ୍ମାର୍ଟ‌ଫୋନ୍‌ ଏବଂ ସୋସିଆଲ ମିଡିଆରେ ବ୍ୟସ୍ତ ଥିଲେ ବୋଲି ମୃତ ମହିଳାଙ୍କ ସ୍ବାମୀ ବାଳକୃଷ୍ଣ ଅଭିଯୋଗ କରିଛନ୍ତି। କେହି ନଶୁଣିବାରୁ ଶେଷରେ ବ୍ୟକ୍ତି ଜଣକ ଏକାକୀ କାନ୍ଧରେ ବୋହି ପତ୍ନୀଙ୍କ ମୃତଦହକୁ ଉଠାଇ ମହାପ୍ରୟାଣ ଗାଡ଼ି ନିକଟକୁ ଆଣିଥିଲେ। ଉପସ୍ଥିତ ଥିବା ହସ୍ପିଟାଲ କର୍ମଚାରୀ ସହଯୋଗର ହାତ ବଢାଇବା ପରିବର୍ତ୍ତେ ଦେଖଣାହାରୀ ସାଜିଥିଲେ । ସୂଚନା ମୁତାବକ ଗତ ଜୁନ୍‌ ୨୯ ରେ ଫିରିଙ୍ଗିଆ ବ୍ଲକ୍‌ ସ୍ଥିତ ମୋତିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ପତ୍ନୀ ଋତୁମତୀ କହଁର (୪୦) ଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହୃଦ୍‌ଘାତ ଯୋଗୁଁ ଗତକାଲି ଅପରାହ୍‌ଣରେ ଚିକିତ୍ସାଧିନ ଅବସ୍ଥାରେ ଋତୁମତୀଙ୍କ ମୃତ୍ୟୁ ହୋଇଛି‌ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏହି ସଫେଇକୁ ଖଣ୍ଡନ କରିଛନ୍ତି ଋତୁମତୀଙ୍କ ସ୍ବାମୀ ବାଳକୃଷ୍ଣ। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାଳକୃଷ୍ଣ । ଋତୁମତୀଙ୍କ ମୃତ୍ୟୁ ପରେ ତାଙ୍କର ମର ଶରୀରକୁ ମେଡିକାଲ୍‌ କର୍ମଚାରୀମାନେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇ ଚାଲିଯାଇଥିଲେ। ବାଳକୃଷ୍ଣ ପତ୍ନୀଙ୍କ ଶବକୁ ଘରକୁ ନେବା ପାଇଁ ବ୍ୟସ୍ତ ହେଉଥିଲେ ମଧ୍ୟ ହସ୍ପିଟାଲର ଆଟେଣ୍ଡାଣ୍ଟ, ଷ୍ଟାଫ୍‌ ନର୍ସ ଓ ସୁଇପର୍‌ କେହି ବି କର୍ଣ୍ଣପାତ କରି ନଥିଲେ। ତେବେ ବିଡମ୍ବନାର ବିଷୟ ହେଉଛି ମେଡିକାଲ କର୍ମଚାରୀ ଦେଖଣାହାରୀ ସାଜି ନିଜ ସ୍ମାର୍ଟ‌ଫୋନ୍‌ ଏବଂ ସୋସିଆଲ ମିଡିଆରେ ବ୍ୟସ୍ତ ଥିଲେ ବୋଲି ମୃତ ମହିଳାଙ୍କ ସ୍ୱାମୀ ବାଳକୃଷ୍ଣ ଅଭିଯୋଗ କରିଛନ୍ତି। କାହାର ସାହାଯ୍ୟ ନମିଳିବାରୁ ଶେଷରେ ବାଳକୃଷ୍ଣ ବହୁ କଷ୍ଟରେ ନିଜ ପତ୍ନୀଙ୍କ ଶବକୁ ଏକୁଟିଆ କାନ୍ଧରେ ବୋହି ହସ୍ପିଟାଲ ବାହାରେ ଛିଡା ହୋଇଥିବା ମହାପ୍ରୟାଣ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ଏହା ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ଘଟଣା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସମସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା କହିଛନ୍ତି।

Related Posts