ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଟଙ୍କା ବଜାରକୁ ଛାଡ଼ିବାର ଲକ୍ଷ୍ୟ ରଖିଛି ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଟଙ୍କା ବଜାରକୁ ଛାଡ଼ିବାର ଲକ୍ଷ୍ୟ ରଖିଛି ରିଜର୍ଭ ବ୍ୟାଙ୍କ । ଏନେଇ ଆଜି ଆଜି ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ଘୋଷଣା କରିବା ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଟି. ରବିଶଙ୍କର ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ଦେଶରେ ଧୀରେ ଧୀରେ ଡିଜିଟାଲ ଟଙ୍କାର ପ୍ରଚଳନ କରାଯିବ । ଯେପରିକି ତାହାର ବିଶେଷ କୁପ୍ରଭାବ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ପଡ଼ିବ ନାହିଁ । ଆହୁରି ମଧ୍ୟ ଭାରତରେ କ୍ରିପ୍ଟୋକରେନ୍ସିକୁ ଏପର୍ୟ୍ୟନ୍ତ ବୈଧ ଘୋଷଣା କରାଯାଇନଥିବାବେଳେ ରିଜର୍ଭ ବ୍ୟାଙ୍କର ଡିଜିଟାଲ ଟଙ୍କା ଆଇନଗତ ଭାବେ ଏକ ବୈଧ ମୁଦ୍ରା ହେବ । ଦେଶରେ ଡିଜିଟାଲ ଟଙ୍କାର ପ୍ରଚଳନ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ବେଳେ ଘୋଷଣା କରିଥିଲେ ।

ସେ କହିଥିଲେ ଯେ, ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଡିଜିଟାଲ ଟଙ୍କା ପ୍ରସ୍ତୁତ କରାଯିବ । ଏହା ଅର୍ଥନୈତିକ କାର୍ୟ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ତେବେ ୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଆରମ୍ଭ କରିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ ବି ଏହାର ପ୍ରଚଳନ ବିଳମ୍ବିତ ହୋଇଛି । ଗତ ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଥିଲେ ଯେ ତରବର ହୋଇ ଡିଜିଟାଲ ଟଙ୍କାର ପ୍ରଚଳନ କରାଯିବ ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts