ସଂଘର୍ଷ ପରେ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିରୋଧ ପରେ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ । ସେପଟେ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସୋମବାର ଦିନ ସରକାର ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ପ୍ରତିବାଦକାରୀଙ୍କୁ ସରକାରୀ ସମର୍ଥକମାନେ ଠେଙ୍ଗା ଓ ବାଡ଼ି ସାହାଯ୍ୟରେ ଆକ୍ରମଣ କରିବାରୁ ୧୮୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ୫ ଜଣଙ୍କର ଜୀବନ ଯାଇଛି। ହିଂସା ପରେ ସୋମବାର ସରକାର ସାରା ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଶାସକ ଦଳର ଜଣେ ସାଂସଦ ଅମରକୀର୍ତ୍ତି ଅଥୁକୋରଳ ସଂଘର୍ଷ-ସ୍ଥଳରେ ଜଣେ ପ୍ରତିବାଦକାରୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ବି ଗୁଳିମାରି ହତ୍ୟା କରିଛନ୍ତି।

ପୁଲିସର କହିବା ଅନୁସାରେ ନିତ୍ତମ୍ବୁୱା ସହରରେ କିଛି ଲୋକ ସାଂସଦଙ୍କ କାର୍‌କୁ ଅଟକାଇବା ପରେ ସେ ଗୁଳି ମାରି ଦୁଇଜଣଙ୍କୁ ଗୁରୁତର ଆହତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ସାଂସଦ ନିଜକୁ ଗଳିମାରି ହତ୍ୟା କରିଥିଲେ। କିଛି ଲୋକ ଅନ୍ୟ ଜଣେ ସାଂସଦ ସନତ ନିଶାନ୍ତଙ୍କ ଘରେ ନିଆଁ ଲଗାଇଦେଇଥିବା ଏବଂ କୁରୁଣାଗଳା ମେୟର ତୁଷାର ସଂଜୀବଙ୍କ ଘର ଉପରେ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି। ମାଉଣ୍ଟ ଲାଭିନିଆ-ସ୍ଥିତ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଣ୍ଡୋଙ୍କ ବାସଭବନରେ ବି ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀମାନେ ବସ୍‌ରେ ନିଆଁ ଲଗାଇବା ସହିତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସ୍ମୃତିରେ ନିର୍ମିତ ସ୍ମାରକୀଙ୍କୁ ନଷ୍ଟ କରିଦେଇଛନ୍ତି। ଏଥିସହିତ କଲମ୍ବୋଠାରୁ ୨୫୦ କିମି ଦୂର ହମବାନ୍‌ତୋତାରେ ଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପୈତୃକ ଘର ଜାଳି ଦେଇଛନ୍ତି। ୩ ଜଣ ପୂର୍ବତନ ମନ୍ତ୍ରୀ ଏବଂ ୨ ଜଣ ସାଂସଦଙ୍କ ଘରକୁ ମଧ୍ୟ ଆନ୍ଦୋଳନକାରୀମାନେ ଜାଳି ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts