ବିଶ୍ୱସ୍ତରୀୟ ବନ୍ଦର ହେବାକୁ ଯାଉଛି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱସ୍ତରୀୟ ବନ୍ଦର ହେବାକୁ ଯାଉଛି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର । ଏଠାରେ ୩୫ଟି ବର୍ଥ ନିର୍ମାଣ ଲକ୍ଷ୍ୟ ରଖା ଯାଇ କାର୍ଯ୍ୟ ହେଉଛି। ଏହି ସୁଦୀର୍ଘ ବନ୍ଦରର କଳେବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ପର‌୍ୟ୍ୟାୟରେ ୨ଟି ବର୍ଥ ନିର୍ମାଣ କରାଯାଇ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏବେ ୪ଟି ବର୍ଥ କାର‌୍ୟ୍ୟକ୍ଷମ ଅଛି। ଧାମରା ବନ୍ଦରର ବିକାଶ ଏବଂ ବେକାରଙ୍କୁ ରୋଜଗାର ଦେବା ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ବିଭିନ୍ନ କଂପାନି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଚୁକ୍ତିନାମା ସ୍ବାକ୍ଷର ହେବାର ଏଇଭିତରେ ୧୧ ବର୍ଷ ବିତିଯାଇଛି। ମାତ୍ର ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହିଯାଇଛି ।ରାଜ୍ୟ ସରକାର ଭଦ୍ରକ ଜିଲ୍ଲାରେ ଶିଳ୍ପ ବିକାଶର ସ୍ବପ୍ନ ଦେଖାଇ ସମସ୍ତଙ୍କୁ ହତାଶ କରିଛନ୍ତି। ସେପଟେ ୨୦୦୭ ମସିହାରେ ଭଦ୍ରକ ଜିଲ୍ଲାର ଧାମରା ଠାରେ ଆରମ୍ଭ ହୋଇଥିଲା ଓଡ଼ିଶାର ତୃତୀୟ ବନ୍ଦର ନିର୍ମାଣ। ପାରାଦୀପ ଓ ଗୋପାଳପୁର ବନ୍ଦର ପରେ ଧାମରା ବନ୍ଦର ବିଶ୍ବରେ ଏକ ବୃହତ୍ତମ ବନ୍ଦରର ମାନ୍ୟତା ପାଉ ବୋଲି ବିଚାର କରି ସରକାର ବନ୍ଦର କମ୍ପାନିକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ।

ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବନ୍ଦର ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ଧାମରା ବନ୍ଦର କମ୍ପାନିକୁ ପୂର୍ଣ୍ଣ ସହଯୋଗ କରିଥିଲେ। ୨୦୧୧ ମସିହାରେ ବନ୍ଦରକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ଏକାଧିକ ଶିଳ୍ପ ସଂସ୍ଥା‌ ଶିଳ୍ପ ପ୍ରତିଷ୍ଠା ପାଇଁ ଏଠାରେ ଜମି କିଣିଥିଲେ। ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୧୦ ମସିହାରେ ୨୦ରୁ ଅଧିକ ଦେଶୀ ଓ ବିଦେଶୀ କଂପାନି ସହ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ମାତ୍ର ବନ୍ଦର କାର୍ଯ୍ୟକ୍ଷମ ହେବାର ୧୧ ବର୍ଷ ପରେ ମଧ୍ୟ ଏଠାରେ ଗୋଟିଏ ହେଲେ ଶିଳ୍ପ ସଂସ୍ଥା ଗଢ଼ି ଉଠିଲା ନାହିଁ । ଜଗତସିଂହପୁରରେ ପୋସ୍କୋକୁ ବିରୋଧ କରିବା‌ ପରେ ଧାମରା ଠାରେ ପୋସ୍କୋକୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ କୁହାଯାଉଥିଲା। ମାତ୍ର ସେ କଥା ବି ଏଯାଏ ହେଲାନି। ସେହିପରି ଗୁଜୁରାଟର ଏକ କଂପାନି ୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରି ଏଠାରେ ଷ୍ଟିଲ୍ ଶିଳ୍ପ ପ୍ରତିଷ୍ଠା କରିବ ବୋଲି କହିଥିଲା। ଏଥିପାଇଁ ଧାମରା ଠାରେ ୩ ଶହ ଏକର ଜମି କିଣା ଯାଇଥିଲା।

ମାତ୍ର ପରବର୍ତ୍ତୀ ପର‌୍ୟ୍ୟାୟରେ ଉକ୍ତ କଂପାନି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମୁହଁ ମୋଡ଼ିଲା। ସେହିପରି କୋଣାର୍କ ମଧ୍ୟ ଏଠାରେ ୧୫୦ କୋଟି ଟଙ୍କା ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଯୋଜନା ପ୍ରସ୍ତୁତ କରିଥିଲା। ଚରଦିଆରେ ଜାହାଜ କାରଖାନା ପ୍ରତିଷ୍ଠା କରିବା ପାଇଁ ସୁରେନ୍ଦ୍ର ଗ୍ରୁପ୍ ଅଫ୍ କଂପାନି ଓ ଭାରତୀ ସିପ୍ୟାଡ୍ କଂପାନି ପକ୍ଷରୁ ମିଳିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ସେହିପରି ଏଲ୍‌ଆଣ୍ଡଟି ପକ୍ଷରୁ ୧୦ ହଜାର ୨୧୬ କୋଟି ଟଙ୍କା ବ୍ୟୟରେ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଥିଲା। ସେହିପରି ଇଟା, ସିମେଣ୍ଟ, ପଲିଥିନ୍ କଂପାନି ପ୍ରତିଷ୍ଠା କରିବା ପାଇଁ ଅନ୍ୟ କିଛି ଶିଳ୍ପ ସଂସ୍ଥା ଲକ୍ଷ୍ୟ ରଖିଥିଲେ। ଶ୍ରୀ ମେଟାଲିକ୍ କଂପାନି ପକ୍ଷରୁ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହୋଇଥିଲା। ଲକ୍ଷ୍ମୀ ମେଟାଲିକ୍ ମଧ୍ୟ ଏଠାରେ ୩ ଜହାର ୪ ଶହ ୫୬ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଥିଲା। ମାତ୍ର ଧାମରା ଠାରେ ଆଜି ପର‌୍ୟ୍ୟନ୍ତ ଗୋଟିଏ ବି ଶିଳ୍ପ ସଂସ୍ଥା ଗଢ଼ି ଉଠିଲା ନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ଧାମରା ନିକଟ ଅଞ୍ଚଳର ଶହ ଶହ ଏକର ଜମିକୁ କିଛି ସଂସ୍ଥା ଶାଗମାଛ ଦରରେ କିଣି ନେଇଛନ୍ତି। ବନ୍ଦର ବିକାଶ ହେବା ସହ ଧାମରା ହେବ ଶିଳ୍ପ ସମୃଦ୍ଧ ସହର। ଏଇ ଆଶା ନେଇ ସ୍ଥାନୀୟ ଲୋକମାନେ ସାତପୁରୁଷର ଚାଷଜମିକୁ ବିକି ଦେଇଛନ୍ତି। ଲୋକଙ୍କ ହାତରୁ ଜମି ଚାଲିଯାଇଛି। କିନ୍ତୁ ଶିଳ୍ପ ପ୍ରତିଷ୍ଠା ହୋଇ ପାରି ନାହିଁ। ଫଳରେ ଧାମରା ବିକାଶର ସ୍ବପ୍ନ ସ୍ବପ୍ନରେ ରହିଯାଇଛି।ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts