ଶ୍ରୀଲଙ୍କା: ଜଟିଳ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା | ଯାହାକୁ ନେଇ ଜନ ଅସନ୍ତୋଷ ବଢିବା ସହ ଆନ୍ଦୋଳନ ଦେଖିବାକୁ ମିଳିଛି | ରାଜରାସ୍ତାକୁ ଓଲେହିଛନ୍ତି ଶହ ଶହ ଲୋକ | ସେପଟେ ବଢୁଥିବା ଅସନ୍ତୋଷ ମଧ୍ୟରେ ରାଜନୈତିକ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି | ଶ୍ରୀଲଙ୍କାର ରାମାକୁମ୍ବାରେ ପ୍ରଦର୍ଶନକାରୀ ମାନେ ବିକ୍ଷୋଭ କରୁଥିବା ବେଳେ, ପୋଲିସ ତାଙ୍କ ମାନକ ଉପରକୁ ଗୁଳି ଚଳାଇଛି ।
ପୋଲିସ ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ରାଜ୍ୟରେ ଖାଦ୍ୟାଭାବ ସାଙ୍ଗକୁ ଔଷଧ ମିଳୁନଥିବାରୁ ସରକାର ଉପରେ ଆକ୍ରୋଶ ପ୍ରକାଶ କରୁଛନ୍ତି ଲୋକେ ।
ଆର୍ଥିକ ସଂକଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରୀଲଙ୍କାର କୃଷକମାନେ । ଚାଷୀଙ୍କୁ ସରକାର ସାର ଯୋଗାଇପାରୁନାହାନ୍ତି । ଶ୍ରୀଲଙ୍କାରେ ଗୋଟିଏ ଅଣ୍ଡାର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଗହମ କିଲୋ ୧୯୦ଟଙ୍କା, ପେଟ୍ରୋଲ ଲିଟର ପିଛା ୨୫୦ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୨୦୦ଟଙ୍କାରେ ପହଞ୍ଚିଛି ।
ସେହିଭଳି ଗ୍ୟାସ୍ ସିଲିଣ୍ଡର ଦାମ୍ ୪ହଜାର ୨୦୦ଟଙ୍କା, ମିଲ୍କ ପାଉଡର କିଲୋ ୧୯ଶହ ଟଙ୍କା, ଚିନି କିଲୋ ୨୪୦ଟଙ୍କା, ଚାଉଳ କିଲୋ ୨୨୦ଟଙ୍କା ହୋଇଛି । ଲୋକଙ୍କ ପକ୍ଷେ ଏସବୁ ଜିନିଷ କିଣିବା ସମ୍ଭବ ପର ହେଉନାହିଁ । ଯାହାକୁ ନେଇ ସେମାନେ ସରକାର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।
ଅନ୍ୟପଟେ ଶେଷରେ ମାନିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ଭୁଲ ମାନିଛନ୍ତି । ସରକାରଙ୍କ ଭୁଲ ଯୋଗୁଁ ଦେଶର ଆଜି ଏହି ପରିସ୍ଥିତି ଉପୁଜିଛି। ଆଗରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନେଇଥିଲେ ଏହି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସେ କହିଛନ୍ତି । ସେପଟେ ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ।