ରାଜ୍ୟରେ ଉଚ୍ଚ ଶିକ୍ଷାର ଦୟନୀୟ ସ୍ଥିତି: ଶିକ୍ଷକ,ଭିତ୍ତିଭୂମି,ନିଯୁକ୍ତି ସବୁଥିରେ ଫେଲ୍‌ ,କଲେଜରେ ନାହିଁ କ୍ୟାରିୟର କାଉନ୍‌ସେଲିଂ ସେଲ୍‌, ଆୟୋଜନ ହେଉନି ନିଯୁକ୍ତି ମେଳା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ରାଜ୍ୟରେ ଏକ ଦୀର୍ଘକାଳୀନ ସ୍ଥାୟୀ ସରକାର ଥିବା ସତ୍ତ୍ୱେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁଧାର ଆସି ପାରି ନାହିଁ । ପାଠ ପଢା ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସହୟତା ଯୋଗାଇବା ଲାଗି ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ‌କୌଣସି ପ୍ରଭାବୀ ବ୍ୟବସ୍ଥା ନାହିଁ। କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ କିଛି କିଛି ବ୍ୟବସ୍ଥା ରହିଛି। ସେହିପରି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନ୍‌ସେଲିଂ ନାମକୁ ମାତ୍ର ରହିଛି। ଅନେକ କ୍ଷେତ୍ରରେ କ୍ୟାରିୟର କାଉନ୍‌ସେଲିଂ ଓ ନିଯୁକ୍ତି ମେଳା ଆୟୋଜନ କରାଯାଉ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୪ରୁ ୩୮ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାବେଳେ ଗ୍ରାମାଂଚଳରେ ମାତ୍ର ୧୨ ପ୍ରତିଶତ ସରକାରୀ କଲେଜ ରହିଛି। ୧୯ଟି ବ୍ଲକରେ ଉଚ୍ଚଶିକ୍ଷା ପାଇଁ କୌଣସି ଅନୁଷ୍ଠାନ ନାହିଁ । ୩୧୪ ବ୍ଲକରୁ ୨୬୩ଟି ବ୍ଲକ ଓ ୩ଟି ଜିଲ୍ଲାରେ ସରକାରୀ କଲେଜଟିଏ ବି ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟର ୮୦ ପ୍ରତିଶତ କୋଠା ଏବେ ଅନୁପଯୁକ୍ତ ଥିବାବେଳେ ୨୦ଟି କଲେଜକୁ ସ୍ୱୟଂଶାସିତ ମାନ୍ୟତା ଦେଇ ଏହାକୁ ନବୀକରଣ କରିବାକୁ ଭୁଲି ଯାଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରେ ୩୮% ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ୩୪ ପ୍ରତିଶତ ପଦ ଖାଲି ପଡ଼ିଛି। ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନିର୍ଧାରିତ ଅନୁପାତ (୨୦:୧) ପାଳନ କରାଯାଉନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟରେ ଗବେଷଣା କାର୍ଯ୍ୟ ଶେଷ ହେବା ହାର ମାତ୍ର ୧୬ ପ୍ରତିଶତ ରହିଛି। ଉଭୟ ଉତ୍କଳ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ପେଟେଣ୍ଟ୍ ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ।

କେବଳ ସେତିକି ନୁହେଁ ୨୦୧୧-୧୯ ମସିହା ମଧ୍ୟରେ ରାଜ୍ୟରେ କଲେଜ ସାନ୍ଦ୍ରତା ୨୩ରେ ହିଁ ସ୍ଥିର ରହିଛି। ଏ ସବୁ ଅବ୍ଯବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏତେ ପରିମାଣର କମି ରହିଥିବା ସତ୍ତ୍ବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ମାଷ୍ଟର ପ୍ଲାନ କରିନଥିବା ସିଏଜି କହିଛନ୍ତି। ଗତକାଲି ବିଧାସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଉପସ୍ଥାପନ ହୋଇଥିବା ‘ରାଜ୍ୟରେ ଉଚ୍ଚ ଶିକ୍ଷାର ଫଳାଫଳ’ ସମ୍ପର୍କିତ ରିପୋର୍ଟରେ ଉଚ୍ଚ ଶିକ୍ଷାର ଦୟନୀୟ ସ୍ଥିତିକୁ ବର୍ଣ୍ଣନା କରାଯାଇଛି।

ଉଚ୍ଚ ଶିକ୍ଷା ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଦରକାର ବୋଲି ସିଏଜି କହିଛନ୍ତି। ଏହା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା କଥା କହିଛନ୍ତି ସିଏଜି।

ସେହିପରି ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନର ବିଷୟଗୁଡ଼ିକ ସଂଶୋଧନ ହେଉନଥିବାରୁ ସିଏଜି ଚିନ୍ତା ପ୍ରକଟ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୧୮ଟି ବିଷୟକୁ ଯାଞ୍ଚ କରିବା ପରେ ୧୫ଟି ବିଷୟ ନିର୍ଧାରିତ ସମୟ ଭିତରେ ସଂଶୋଧନ ହୋଇନଥିବା ଜଣାପଡ଼ିଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କେବଳ ଏକଚତୁର୍ଥାଂଶ ପାଠ୍ୟକ୍ରମ ନିଯୁକ୍ତି ‌ଉପରେ ଧ୍ୟାନ ଦେଇଥିବା ବେଳେ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ମୂଲ୍ୟଯୁକ୍ତ ଭିତ୍ତିକ ପାଠ୍ୟକ୍ରମ ନାହିଁ ବୋଲି ଅଡିଟ୍‌ ଯାଞ୍ଚରୁ ଜଣାପଡ଼ିଛି।

ଆଉ ଏକ ବଡ ସମସ୍ୟା ଉଠାଇବାକୁ ଯାଇ ସିଏଜି କହିଛନ୍ତି ଯେ, ପାଠପଢ଼ାଇବା ବେଳେ ଅଧ୍ୟାପକମାନେ ଟେକ୍ନୋଲୋଜି ବ୍ୟବହାର କରୁନାହାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଭିତ୍ତିଭୂମି ଉପଲବ୍ଧତା ନଗଣ୍ୟ ସ୍ତରରେ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଶ୍ରେଶୀ ଗୃହ ଓ ପରୀକ୍ଷଣରେ ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର କରୁଥିବା ଅଧ୍ୟାପକଙ୍କ ସଂଖ୍ୟା କମ୍ ରହିଛି।

ବିଧାନସଭାରେ ଆଜି ଆଗତ ହୋଇଥିବା ‘ଉଚ୍ଚଶିକ୍ଷାର ଫଳାଫଳ’କୁ ନେଇ ସିଏଜିଙ୍କ ରିପୋର୍ଟ ଅନୁସାରେ, ୨୦୧୪-୧୫ ରୁ ୨୦୧୮-୧୯ ମସିହା ପର୍ଯ୍ୟନ୍ତ ଅବଧିର ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ଏହି ଅଡିଟ୍ ୨୦୧୯ ଅକ୍ଟୋବରୁ ୨୦୨୦ ଜାନୁୟାରୀ ମାସ ମଧ୍ୟରେ ହୋଇଥିଲା । ସିଏଜି ରିପୋର୍ଟରେ ଆଉ ଏକ ଚିନ୍ତା ଜନକ ବିଷୟ ହେଉଛି ଯେ ୨୦ଟି ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟରୁ ୧୪ଟି ମହାବିଦ୍ୟାଳୟ ସ୍ବୟଂଶାସିତ ସ୍ଥିତି ହରାଇଛନ୍ତି। ‌ସେଥିରେ ଆଉ ନବୀକରଣ କରାଯାଇନାହିଁ। ରାଜ୍ୟରେ ଥିବା ନାକ୍ ସ୍ବୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ମଧ୍ୟ ଖରାପ ରହିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ୨୦:୫୦ ପ୍ରତିଶତ ମହାବିଦ୍ୟାଳୟକୁ ନାକ୍ ସ୍ବୀକୃତି ମିଳିଥିବା ବେଳେ ସ୍ବୀକୃତି ପାଇଥିବା ମହାବିଦ୍ୟାଳୟଗୁଡ଼ିକର ମାତ୍ର ୪.୨ ପ୍ରତିଶତ ଅର୍ଥାତ ୧୮୧ରୁ ମାତ୍ର ୮ଟି ମହାବିଦ୍ୟାଳୟ ‘ଏ’ ଗ୍ରେଡ୍‌ ହାସଲ କରିଛନ୍ତି। ଏହି ରିପୋର୍ଟ ରାଜ୍ୟରେ ଉଚ୍ଚ ଶିକ୍ଷାରେ ଗୁଣବତ୍ତାର ଦୟନୀୟ ସ୍ଥିତିକୁ ଜଣାଉଛି।

ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ତାମିଲ ଦେବା ପାଇଁ ରାଜ୍ୟ ସରକାର ୨୦୧୬ ନଭେମ୍ବରରେ ସ୍ୱତନ୍ତ୍ର ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୨୦୧୭ ଓ ୨୦୧୮ମସିହାରେ ୧.୭୦କୋଟି ଟଙ୍କା ୭ଟି ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି। କିନ୍ତୁ ୟୁପିଏସସି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ସଫଳତା ହାସଲ ନକରିବାରୁ ରାଜ୍ୟ ସରକାର ୨୦୧୮-୧୯ରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ। ବିନା ପ୍ରସ୍ତୁତିରେ ଏହି ଯୋଜନା ଆରମ୍ଭ ହୋଇନଥିବାରୁ ଏହା ଲକ୍ଷ୍ୟହୀନ ଥିବା ଜଣାପଡିଛି।

Related Posts