ଆଜିଠୁ ଆରମ୍ଭ ପ୍ୟାରିସ ପାରାଲିମ୍ପିକ୍‌ସ

ଭୁବନେଶ୍ୱର,୨୮/୮(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ପ୍ୟାରିସ ପାରାଲିମ୍ପିକ୍ସ । ସାରା ବିଶ୍ବର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ। ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।

ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ । ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ବର୍ଣ୍ଣ ଦୌଡ଼ରେ ରହିବେ

ଏଥରର ପାରାଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ। ଗତ ସଂସ୍କରଣରେ ଭାରତ ୫ ସ୍ବର୍ଣ୍ଣ ସହ ରେକର୍ଡ ୧୯ ପଦକ ଜିତି ୨୪ ତମ ସ୍ଥାନରେ ରହିଥିଲା। ଏଥର ଭାରତ ଅଧିକ ପଦକ ଜିତିବାର ଆଶା ରହିଛି।

ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ନିଜ ବର୍ଗରେ ସ୍ବର୍ଣ୍ଣ ଜିତିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ୱାଡା ନିୟମ ଉଲ୍ଲଂଘନ କରି ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ ଦ୍ବାରା ନିଲମ୍ବିତ ହେବା ପରେ ପ୍ୟାରିସ୍ ପାରାଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

Related Posts