ଆସନ୍ତା ୧୭ରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ବିଳମ୍ବ ରେ ହେଲେ ସୁଦ୍ଧା ଆସୁଛି ମୌସୁମୀ । ଜୁନ୍‌ ଶେଷ ସପ୍ତାହ ଆଡ଼କୁ ଓଡ଼ିଶା ଛୁଇଁବ ମୌସୁମୀ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ଆସନ୍ତା ୧୭ରେ ମୌସୁମୀ ଓଡ଼ିଶା ଛୁଇଁବ ।

୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ଜୁନ୍‌ ୧୪ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ । କିନ୍ତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରାୟ ୪୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରରେ ୧୫ରୁ ୨୫ ମିଲିମିଟର ବର୍ଷା ହୋଇପାରେ । କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ କମ୍‌ ବା ମାତ୍ର ୧୦ ମିଲିମିଟର ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କହୁଛି, ଆସନ୍ତା ୪ ଦିନରେ ମୌସୁମୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସେହିଭଳି ୧୪ରୁ ୧୬ ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କୁହାଯାଇଛି ।

ରାଜ୍ୟରେ ସମ୍ଭାବ୍ୟ ବର୍ଷା ପାଇଁ ୧୩ରୁ ୧୬ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଜି ରାଜ୍ୟର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି ।ଡ. ପଶୁପାଳକ ଆହୁରି କହିଛନ୍ତି, ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୭ରେ ମୌସୁମୀ ଛୁଇଁପାରେ । ୧୮ରେ ଭୁବନେଶ୍ୱର ସମେତ ଉପକୂଳରେ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୭ରୁ ରାଜ୍ୟରେ ବର୍ଷା ବଢ଼ିବ ।

Related Posts