୧୨ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ହେଲେ ୧୨ ତାରିଖରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି । ଚଳିତ ମାସ ୧୧ ତାରିଖ ଯାଏ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ରୁ ୪୭ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ୧୦ ତାରିଖ ବେଳକୁ ଆରବସାଗରରେ ପଶ୍ଚିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତ୍ତର ମୁହାଁ ହୋଇ ଜୁନ୍‌ ୧୨ ତାରିଖ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦେଖାଯିବ । ଦୁର୍ବଳ ମୌସୁମୀ ଯୋଗୁଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଜୁନ୍‌ ୮ ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଅଧିକ ବର୍ଷା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହେବାର ସୂଚନା ନ ଥିବାରୁ ମୌସୁମୀ ମଧ୍ୟ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ, ଶନିବାର ରାଜ୍ୟରେ ୧୨ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ତାପମାତ୍ରା ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୫ଂ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ବଲାଙ୍ଗୀରରେ ୪୪.୯ଂ ସେଲସିୟସ୍‌, ବୌଦ୍ଧରେ ୪୪.୫ଂ ସେଲସିୟସ୍‌, ସମ୍ବଲପୁର ୪୪.୪ଂ ସେଲସିୟସ୍‌, ଝାରସୁଗୁଡ଼ା ୪୪.୨ଂ ସେଲସିୟସ୍‌, ସୋନପୁର ୪୪.୩ଂ ସେଲସିୟସ୍‌, ଭବାନୀପାଟଣା ଓ ମାଲକାନଗିରିରେ ୪୩ଂ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ରେ ତାତି ଜାରି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି ।

Related Posts