ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ସାମିଲ ହେଲେ ୧୦ ଜଣ ପ୍ରତିନିଧି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିରର ନୂଆ ପରିଚାଳନ କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମକୁ ମନୋନୀତ କରିଛନ୍ତି। ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର। ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ହେବେ ସଦସ୍ୟ। ସେହିପରି ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ସେବାୟକ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ସଦସ୍ୟ ରହିବେ। ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧତ୍ତ୍ୱ କରିବେ ରାମକୃଷ୍ଣ ଦାସ। ବାଳୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେହିପରି ପରିଚାଳନା କମିଟିରେ ଚାଟାର୍ଡ ଆକାଉଟାଣ୍ଟ ଶରତ ଚନ୍ଦ୍ର ବେହେରା।

ଅପରପକ୍ଷରେ ଗତ କାଲି ଠାରୁ ଶ୍ରୀମନ୍ଦିର ଖୋଲିଛି। ପ୍ରଥମ ଦୁଇଦିନ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୧୪ ଓ ୧୫ ତାରିଖ ସାପ୍ତାହିକ ଶଟ୍‌ଡାଉନ୍ ଥିବାରୁ ମନ୍ଦିର ବନ୍ଦ ରହିବ। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ୱାର୍ଡ ୱାରୀ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ।

ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏସ୍‌ଓପିରେ କୋଭିଡ୍‌ କଟକଣାକୁ ପ୍ରାଥମିକତା ଦିଆଯାଇଛି। ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେମାନଙ୍କ ପାଇଁ ୯୬ ଘଣ୍ଟାର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟିକାକରଣ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ।

Related Posts