ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀ ପୀଠରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶନିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସମ୍ବଲପୁରର ପ୍ରତିଷ୍ଠିତ ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପ୍ରାୟ ସାଢ଼େ ୭କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କରାଯାଇଛ। ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଅନୁଭବ କରିହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ସମ୍ବଲପୁରୀ ଭାଷାରେ ମିଠାସ୍ ରହିଛି । ସମ୍ବଲପୁରୀ ଭାଷାରେ ଆମର ବନ୍ଧୁମାନେ ଯେତେବେଳେ କଥା ହୁଅନ୍ତି ତାହା ତାଙ୍କୁ ବହୁତ ଭଲ ଲାଗେ। ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ। ସମ୍ବଲପୁରୀ ନାଚ ଓ ଗୀତ ଅତି ମନଛୁଆଁ। ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି ।ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି ।

କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡ଼ିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି । ସଂଗ୍ରାମ ଓ ସଂସ୍କୃତିର ମହାନପୀଠ ହେଉଛି ସମ୍ବଲପୁର । ଦେଶ ଓ ଜାତି ପାଇଁ ବୀରସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ସଂଗ୍ରାମ ତାଙ୍କୁ କିମ୍ବଦନ୍ତୀ କରି ଗଢ଼ିଛି । ସେ ଥିଲେ ଅଜେୟ । ହୀରାକୁଦଠାରୁ ଆରମ୍ଭ କରି ଦେବ୍ରିଗଡ଼ ଅଭୟାରଣ୍ୟ, ହୁମାଗଙ୍ଗ ମନ୍ଦିର, ହରିଶଙ୍କର, ନୃସିଂହନାଥ- ଏସବୁ ହେଉଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆମେ ଯୋଜନା କରିଛୁ । ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ଏହି ରୂପାନ୍ତରଣରେ ସବୁଠୁ ଅଧିକ ସ୍ଥାନୀୟ ଲୋକମାନେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଯୋଜନା କରାଯାଇଛି। ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି।’

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ପ୍ରାୟ ସାଢ଼େ ୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରାୟ ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ସମ୍ବଲପୁର ଓ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଏହି ମା’ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇପାରିବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦିଆଯାଇଛି। ପଦ୍ମ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି।

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହେଉଛି । ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ୯ଟି ଟିମ୍ ଏହି ଲୋକନୃତ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଉଦ୍ୟମରେ ଏହି ନୂଆଁଖାଇ ଭେଟଘାଟରେ ପଶ୍ଚିମଓଡ଼ିଶାର କଳାକାରମାନେ ନିଜ ଅଂଚଳର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଯାହାକୁ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିବାର ସୁଯୋଗ ପାଇପାରିବେ।

Related Posts