ପେଗାସସ୍‌ ସ୍ପାଇୱେୟାର ଜାସୁସି ଯୋଗୁଁ ଭାଙ୍ଗି ଥିଲା କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ସରକାର ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍‌ ସ୍ପାଇୱେୟାରରୁ ଭାରତର ନେତା-ସାମ୍ବାଦିକ ତଥା ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କ ଫୋନ୍ ହ୍ୟାକ୍ ହେବାର ଖବର ପ୍ରତିଦିନ ପ୍ରକାଶ ପାଉଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ କନ୍ସୋର୍ଟିୟମ୍ ଏହାର ରିପୋର୍ଟର ଦାବି କରିଛି ଯେ 2019 ମସିହାରେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୁଇ ସହଯୋଗୀଙ୍କ ଫୋନ୍ ମଧ୍ୟ ଏହି ଇସ୍ରାଏଲ୍ ର ପେଗାସସ୍ ସଫ୍ଟୱେର୍ ଦ୍ୱାରା ହ୍ୟାକ୍ କରାଯାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଛି। 

ନ୍ୟୁଜ ୱେବସାଇଟ ଦି ୱେୟାର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ୨୦୧୯ ଜୁଲାଇ ମାସରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗି ବିଜେପି ସରକାର ଗଠନ କରିବା ପଛରେ ପାଗେସସ୍ ସ୍ପାଇୱୟାର ଗୁଇନ୍ଦାଗିରିର ଲିଙ୍କ ରହିଛି। ତେବେ କଂଗ୍ରେସ-ଜେଡିଏସ୍‌ ସହ ଲିଙ୍କ ରହିଥିବା ବ୍ୟକ୍ତି ବିଶେଷଙ୍କ ଫୋନ ହ୍ୟାକ୍‌ କରାଯାଇ ଥିଲା କି ନାହିଁ, ସେକଥା ଜଣାପଡ଼ିନି। କେବଳ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ଏହି ନମ୍ବର ଗୁଡ଼ିକ ରହିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି।  

ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମେୟାଙ୍କ ବ୍ୟକ୍ତିଗତ ସଚିବମାନଙ୍କ ଫୋନ ନମ୍ବର ପେଗାସସ୍‌ ସ୍ପାଇୱେୟାର ଦ୍ବାରା ହ୍ୟାକ୍ କରାଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।ନମ୍ବର ଅଫ ଇଣ୍ଟରେଷ୍ଟ ବା ଟାର୍ଗେଟ ତାଲିକାକୁ ରିଭ୍ୟୁ କରିବା ବେଳେ ଏହି ବ୍ୟକ୍ତିମାନଙ୍କ ଫୋନ ନମ୍ବର ସାମ୍ନାକୁ ଆସିଥିବା ଦି ୱେୟାର ରିପୋର୍ଟ କରିଛି। 

ସୂଚନାଯୋଗ୍ୟ ଯେ, ୨୦୧୯ ଜୁନ୍‌ ମାସରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ୧୭ ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଏହା ପରେ ସରକାର ଭାଙ୍ଗି ଯାଇଥିଲା। ପରେ ବିଜେପି ସରକାର ଗଠନ କରିଥିଲା। ଇସ୍ତଫା ଦେଇଥିବା ବିଧାୟକମାନେ ଭାଜପାରେ ଯୋଗ ଦେଇଥିଲେ। ବିଏସ୍‌ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ଇସ୍ତଫା ଦେଇଥିବା ବିଧାୟକମାନେ ଉପ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ ।

 କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ମିଳିତ ସରକାରକୁ ହଟାଇବା ପାଇଁ ସ୍ପାଇସେସ୍ ସ୍ପାଇୱୟାର ଜରିଆରେ ଗୁଇନ୍ଦାଗିରି କରି ବିଜେପି ଏବଂ ମୋଦୀ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି।

 ଜେଡି (ଏସ୍) ନେତା ଏଚଡି କୁମାରସ୍ୱାମୀ କହିଛନ୍ତି ଯେ ମୁଁ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେଉ ନାହିଁ କାରଣ ଅତୀତରେ ଆୟକର ବିଭାଗ ସମେତ ବିଭିନ୍ନ ସରକାରୀ ଏଜେନ୍ସି ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଫୋନକୁ ଟ୍ୟାପ୍ କରିଛନ୍ତି … ଏହି ଘଟଣା ନିୟମିତ ଭାବରେ 10-15 ବର୍ଷ ଧରି ଘଟୁଛି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ଏହା ଘଟୁନାହିଁ।  ଏହା ପୂର୍ବରୁ ମଧ୍ୟ ଘଟୁଥିଲା ।

Related Posts