ବିଧାନସଭାରେ ପାରିତ ହେଲା ଭାରତୀୟ ଷ୍ଟାମ୍ପ ଆକ୍ଟ ବିଲ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାରେ ପାରିତ ହୋଇଛି ଭାରତୀୟ ଷ୍ଟାମ୍ପ ଆକ୍ଟ ବିଲ୍‌ । ପ୍ରଚଳିତ ଭାରତୀୟ ଷ୍ଟାମ୍ପ ଆକ୍ଟ ଅନୁଯାୟୀ କୌଣସି ସ୍ଥାବର ସଂପତ୍ତିର ଦଖଲ ନେବା ପାଇଁ ଚୁକ୍ତିନାମା ସଂପାଦନ କରିବା, ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଅଧିକାର ପ୍ରଦାନ କରିବାକୁ ପାୱାର ଅଫ୍‌ ଆଟର୍ଣ୍ଣି ଦେବା ଇତ୍ୟାଦି କାରବାର ନିମନ୍ତେ ରାଜ୍ୟରେ ସଂପତ୍ତିର ବଜାରଦରକୁ ଭିତ୍ତିକରି ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡୁଛି । ତେବେ ଏହି ବିଲ୍ ବୁଧବାର ଦିନ ବିଧାନସଭାରେ ପାରିତ ହୋଇଛି। ଏହା ପରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଥା ରାଜସ୍ୱ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି।

ସେହିପରି ରିୟଲ ଇଷ୍ଟେଟ୍‌ର ପ୍ରମୋଟର/ଡେଭଲପରମାନଙ୍କୁ ଦୁଇ ପ୍ରକାରର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ୁଛି । ଜମି ମାଲିକଙ୍କ ଜମି ଉପରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପରେ ଜନସାଧାରଣଙ୍କୁ ବିକ୍ରୟ ନିମନ୍ତେ ପ୍ରମୋଟର/ଡେଭଲପରଙ୍କୁ ସଂପୂର୍ଣ୍ଣ ଅଧିକାର ଦେଇ ଗୋଟିଏ ପାୱାର ଅଫ୍‌ ଆଟର୍ଣ୍ଣି ଏବଂ ମାଲିକାନା ଥିବା ଜମି ମାଲିକଙ୍କ ଜମିରେ ଘର ହେଉ ବା ବ୍ୟାବସାୟିକ ଗୃହ ନିର୍ମାଣ ତଥା ଜମିର ଆବଶ୍ୟକୀୟ ଉନ୍ନତି ପାଇଁ ଜମିମାଲିକଙ୍କ ସହ ଗୋଟିଏ ଚୁକ୍ତିନାମା କରିବାକୁ ପଡ଼ୁଛି । ସେଲ୍‌ ଡିଡ୍‌ ସହ ସମାନତା ରଖି ଏଥିପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ନିଆଯାଉଛି । ଫଳରେ ଉନ୍ନତ ଜମି ଓ ଗୃହ ପାଇଁ ଜନସାଧାରଣଙ୍କ ଉପରେ ଏପରି ଷ୍ଟାମ୍ପ ଡ୍ୟୁଟି ଆର୍ଥିକ ବୋଝ ପାଲଟିଛି ।

ବିକ୍ରି ଚୁକ୍ତିନାମା ଓ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ ନିମନ୍ତେ ପଡ଼ୁଥିବା ଷ୍ଟାମ୍ପ ଡ୍ଯୁଟି ଫଳରେ ରାଜ୍ୟରେ ସ୍ଥାବର ସଂପତ୍ତିର କାରବାର ବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ଦେଖା ଦେଉଛି । ଷ୍ଟାମ୍ପଡ୍ୟୁଟି ମୂଲ୍ୟ ଅଧିକ ଥିବା କାରଣରୁ ଅନେକ ସମୟରେ ଜନସାଧାରଣ ପଂଜୀକରଣକୁ ଏଡାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ଗତ ୭ ବର୍ଷ ମଧ୍ୟରେ ବିଭିନ୍ନ ସଂପତ୍ତି ଦଖଲ ଉପରେ ୦.୦୨% ବିକ୍ରି ଚୁକ୍ତିନାମା ଓ ୦.୧୪ ପ୍ରତିଶତ ପାୱାର ଅଫ୍‌ ଆଟର୍ଣ୍ଣି ପଂଜୀକୃତ କରାଯାଇଛି ।

ରାଜ୍ୟରେ କାର୍ଯ୍ୟକାରୀ ହୋଇ ଆସୁଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ବିଲ୍ ଗତ କାଲି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ବିସ୍ତାର ପାଇଁ ସ୍ଥିତି ଅନୁକୂଳ ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ ।

ଏହି ବିଲ୍ ପାସ୍ ହେବା ଫଳରେ ସ୍ଥାବର ସଂପତ୍ତିର ବିକ୍ରି ଚୁକ୍ତିନାମା/ଡେଭଲପ୍‌ମେଣ୍ଟ ଚୁକ୍ତି/ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଆଦାୟ କରାଯିବ । ଯେତେବେଳେ ନିର୍ଦ୍ଦିଷ୍ଟ ସଂପତ୍ତି ଉପରେ ଯଦି ଜଣେ ବ୍ୟକ୍ତି ଡେଭଲପ୍‌ମେଣ୍ଟ ଚୁକ୍ତି ଓ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ କରନ୍ତି ଏବଂ ଡେଭ୍‌ଲପ୍‌ମେଣ୍ଟ ଚୁକ୍ତି ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ନିଆଯାଇଥାଏ ତେବେ ପାୱାର ଅଫ୍‌ ଆଟର୍ଣ୍ଣି ଉପରେ ମାତ୍ର ହାଜରେ ଟଙ୍କା ଆଦାୟ କରାଯିବ । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ପ୍ରକଳ୍ପ ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ କରାଯାଇପାରିବ ଏବଂ କିଣିବାକୁ ଚାହୁଁ ଥିବା ଲୋକ ମାନେ ଏହାକୁ ସୁଲଭ ଦରରେ କିଣିପାରିବେ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇପାରିବ । ଅର୍ଥାତ୍ , ରାଜ୍ୟରେ ନିର୍ମାଣ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ବିଭିନ୍ନ ଗୃହ/ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ଜିଏସ୍‌ଟି, ଷ୍ଟାମ୍ପଡ୍ଯୁଟି ଓ ରେଜିଷ୍ଟ୍ରେସନ୍‌ ଫି ପରି ପ୍ରତ୍ୟକ୍ଷ କରଗୁଡ଼ିକ ଆଦାୟ ଫଳରେ ଅଧିକ ରାଜସ୍ୱ ଆଦାୟ ହୋଇପାରିବ ।

ପରିବାର ମଧ୍ୟରେ ବାପା, ମା , ପତୀ, ପତ୍ନୀ , ପୁଅ , ଝିଅ , ଭାଇ ଓ ଭଉଣୀମାନଙ୍କୁ ସ୍ଥାବର ସଂପତ୍ତିର ବିକ୍ରି କିମ୍ବା ହସ୍ତାନ୍ତରଣ ପାଇଁ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ କଲାବେଳେ ଏକ ହଜାର ଟଙ୍କା ଅସୁଲ କରାଯାଉଥିବାବେଳେ ଏବେ ବୋହୂ, ନାତି, ନାତୁଣି, ଜେଜେବାପା ଓ ଜେଜେମା’ଙ୍କୁ ମଧ୍ୟ ପରିବାର ସଦସ୍ୟ ଭାବରେ ବିବେଚନା କରାଯିବ ।

ପଂଜୀକୃତ ହୋଇଥିବା ଡକ୍ୟୁମେଣ୍ଟର ପ୍ରମାଣୀକୃତ ନକଲ ନିମନ୍ତେ ପୂର୍ବରୁ ୧୦ ଟଙ୍କା ଆଦାୟ ହେଉଥିବାବେଳେ ତାହାକୁ ବୃଦ୍ଧି କରାଯାଇ ୧୦୦ ଟଙ୍କା କରାଯାଇଛି ।

Related Posts