ଅଗଷ୍ଟ ୨ ରୁ ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା : ଦେଖିପାରିବେ ସାଧାରଣ ଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ହେବ। ସାଧାରଣ ଲୋକ ମଧ୍ୟ କୋର୍ଟରେ ଚାଲୁଥିବା ଶୁଣାଣି ଦେଖିପାରିବେ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାମଲା ଶୁଣାଣିର ସିଧା ପ୍ରସାରଣ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ଅଗଷ୍ଟ ୨ରୁ ଏହି ନୂତନ ନିୟମ ଲାଗୁ ହେବ। ହାଇକୋର୍ଟଙ୍କ ସିଧାପ୍ରସାରଣ କାର୍ଯ୍ୟ ନ୍ୟାୟାଳୟ ଦ୍ୱାରା ଅନୁମତି ପ୍ରାପ୍ତ ବ୍ୟକ୍ତି ବା କର୍ମଚାରୀ ହିଁ କରି ପାରିବେ। ମାମଲାର ଶୁଣାଣି ସିଧା ପ୍ରସାରଣ ସମ୍ପର୍କୀତ ୱେବ୍ ଲିଙ୍କ ମଧ୍ୟ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ ଜଜ୍ ଲିଷ୍ଟରେ ପ୍ରକାଶ ପାଇବ ।

ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍‌ କୋର୍ଟ ପ୍ରୋସେଡିଂ ରୁଲ ୨୦୨୧ ଅନୁଯାୟୀ କେଉଁ ସବୁ ମାମଲାର ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲା ଗୁଡ଼ିକର କରାଯିବ ନାହିଁ ସେ ନେଇ ଏଥିରେ ଉଲ୍ଲେଖ ରହିଛି।

ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ୍‌ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲକୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ। ପ୍ରସାରଣ ସମୟରେ ଅଡିଓ ଏବଂ ଭିଡଓ ମଧ୍ୟ ଉପଲବ୍ଧ ରହିବ।

ତେବେ ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧୀ, ପୋକ୍ସୋ ଆଇନ, ଜୁଭେନାଇଲ୍ ଜଷ୍ଟିସ ଆକ୍ଟ, ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ଜାତୀୟ ସୁରକ୍ଷା ସମ୍ପର୍କୀତ ମାମଲା, ହେବିୟସ କର୍ପସ ଭଳି ମାମଲା ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁର ଶୁଣାଣିକୁ ସିଧା ପ୍ରସାରଣରୁ ବାଦ ଦିଆଯାଇଛି ।

ଏତଦ୍ ବ୍ୟତୀତ ଯଦି ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ବିଚାରପତିମାନେ ସିଧାପ୍ରସାରଣ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି, ତେବେ ସିଧାପ୍ରସାରଣ ବନ୍ଦ କରାଯାଇପାରିବ। କ’ଣ ପାଇଁ ମାମଲାର ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ ? କେଉଁ ମାମଲା, କେଉଁ ଦିନ ଓ ସମୟ ଆଦି ଉଲ୍ଲେଖ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଲାଇଭ୍ ଷ୍ଟ୍ରିମିଂ ଭିଡିଓର ଅନଧିକୃତ ବ୍ୟବହାର କରାଯାଇପାରିବ ନାହିଁ । ମାମଲା ଶୁଣାଣିର ସିଧାପ୍ରସାରଣ ସମୟର କମେଣ୍ଟ କିମ୍ବା ଚାଟିଂ ଅନୁମତି ଦିଆଯିବ ନାହିଁ। ଖଣ୍ଡପୀଠଙ୍କ ରାୟ, ନିର୍ଦ୍ଦେଶ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସମ୍ପର୍କୀତ ସାର୍ଟିଫାଏଡ କପିକୁ କେବଳ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Related Posts