ହାଇକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଦେଇ ନାହାନ୍ତି; ଏହା ପରେ ମଧ୍ୟ ବିରୋଧୀମାନେ କେଉଁ ଆଧାରରେ କାମ ବନ୍ଦ କରିବାକୁ କହୁଛନ୍ତି: ପିନାକୀ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସଧାରଣ ଜନତାଙ୍କ ଠାରୁ ବିରୋଧୀ ଦଳମାନେ ଏହି ପ୍ରକଳ୍ପକୁ ବିରୋଧ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପୁରୀ ସାଂସଦ ଏହି ପ୍ରକଳ୍ପକୁ ନେଇ ପୁଣିଥରେ ବଡ଼ ବୟାନ ଦେଇଛନ୍ତି । ତେବେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନ୍‌ର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି। ଏହାଛଡ଼ା ଏନ୍‌ଏମ୍ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍‌ଓସି ଦେଇଛନ୍ତି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି। ଏଏସ୍ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର‌୍ୟ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍‌ସାହସ ହେଉଛି ବୋଲି ପିନାକୀ ମିଶ୍ର ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ବରଂ ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେବା ପାଇଁ ଚାହୁଁଛନ୍ତି। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସ୍ପର୍ଶକାତର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍‌ଏମ୍ଏର ଏନ୍‌ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାମ ନ ନେଇ ଶ୍ରୀ ମିଶ୍ର ତାଙ୍କୁ କଟାକ୍ଷ କରି କହିଛନ୍ତି, ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ ବୋଲି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts