ରୋଷଘର ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନର ଅସହାୟତା ପଦାକୁ ଆସିବାରେ ଲାଗିଛି; ୧୯୧ଟି ସିସିଟିଭି କ୍ୟାମେରା ମଧ୍ୟରୁ କାମ କରୁଛି ମାତ୍ର ୬ଟି ସିସିଟିଭି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନର ଅସହାୟତା ପଦାକୁ ଆସିବାରେ ଲାଗିଛି । ବର୍ତ୍ତମାନ ମନ୍ଦିର ସୁରକ୍ଷାକୁ ନେଇ ଭକ୍ତ, ସେବାୟତ ପ୍ରଶ୍ନ ଉଠାଇଛନ୍ତି। ସେପଟେ ସୁରକ୍ଷା ବ୍ୟବସ୍ଥାର ଆଉ ଏକ ବଡ଼ ସମସ୍ୟା ହେଉଛି, ଏବେ ବଡ଼ ମନ୍ଦିର ପାଇଁ ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନ ରହିଥିଲେ ବି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏମାନଙ୍କ ପାଖରେ କୌଣସି ବ୍ୟବସ୍ଥା ହିଁ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ପ୍ରମାଣ ଯୋଗାଡ଼ କରିବା ବି ଏମାନଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ଏପରିକି ଯେଉଁ ସିସିଟିଭି ନଜରରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିରକୁ ରଖାଯାଇଛି ବୋଲି କୁହାଯାଉଛି, ତା’ର ଫୁଟେଜ୍ ବି ମନ୍ଦିର ପ୍ରଶାସନ ଦେଖିପାରୁନାହିଁ। ଜିଲ୍ଲା ପୁଲିସକୁ ଖବର ଦେଲେ ଯାଇ ସ୍ଥିତି ଅନୁଧ୍ୟାନ ହେବ ଓ ପରବର୍ତ୍ତୀ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତ ଜଗନ ରୋଷଘରେ ପଶି ଚୁଲି ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନର ଏହି ଅସହାୟତା ଏବେ ପଦାକୁ ଆସିଛି। ଏହି ପ୍ରସଙ୍ଗ ପରିଚାଳନା କମିଟି, ସେବାୟତ ମହଲ ଜାଣିବା ପରେ ଏବେ ଜିଲ୍ଲା ପୁଲିସ ବାଦ୍ ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ସିସିଟିଭିର ଆଉ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ଦାବି ଉଠିଛି।

ଅନ୍ୟପଟେ ୨୦୧୫ ନବକଳେବର ସମୟରେ କୋଟି କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦିର ସହ ସମ୍ପୂର୍ଣ୍ଣ ପୁରୀ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା। ପୁଲିସ ହାଉସିଂ କର୍ପୋରେସନ୍ ଏକ ଠିକା ସଂସ୍ଥା ଜରିଆରେ ଏହି କାମ କରିଥିଲା। ଶ୍ରୀମନ୍ଦିରର ଚାରିଦ୍ବାର, ବେଢ଼ା, ମେଘନାଦ ପାଚେରି ଓ ମନ୍ଦିର ଭିତରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଇଥିଲା। ଯାହାର କଣ୍ଟ୍ରୋଲ ରୁମ୍ ଥିଲା ପୁରୀ ଟାଉନ୍ ଥାନା ପରିସରରେ। ବଡ଼ ବଡ଼ ଏଲ୍ଇଡି ପରଦାରେ ପୁଲିସ ସିସିଟିଭିକୁ ନିରୀକ୍ଷଣ କରୁଥିଲା। କିନ୍ତୁ ବାତ୍ୟା ‘ଫନି’ ପରେ ଏହି ଭିତ୍ତିଭୂମି ଉଜୁଡ଼ିଯାଇଛି। ଏହା ପରେ ଅନେକ ଥର ପୁଲିସ ହାଉସିଂ କର୍ପୋରେସନ୍କୁ ଏହି ଭିତ୍ତିଭୂମି ସଜାଡ଼ିବାକୁ ଅନୁରୋଧ କରାଯାଇଥିଲେ ବି ନିଗମ ଏହାକୁ ଅଣଦେଖା କରିଆସିଛି। ତଥାପି ଫନିରେ ନଷ୍ଟ ହୋଇଯାଇଥିବା ଏହି ସିସିଟିଭି ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ୨୦୨୧ ମସିହାରେ ଜିଲ୍ଲା ପୁଲିସର ମଧ୍ୟସ୍ଥିରେ ଶ୍ରୀମନ୍ଦିର ପ୍ରଶାସନ ପୁଲିସ ହାଉସିଂ କର୍ପୋରେସନ୍କୁ ପ୍ରାୟ ୮୦ ଲକ୍ଷ ଟଙ୍କା ଦେଇଥିଲା।

ଏଥିରେ ୧୯୧ଟି ସିସିଟିଭି ଲଗା ଯାଇଥିବା କୁହାଯାଉଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ମାତ୍ର ୬ଟି ସିସିଟିଭି ହିଁ କାମ କରୁଛି। ଅନ୍ୟ ଏକ ଦୁର୍ଭାଗ୍ୟଜନକ କଥା ହେଉଛି, ଯେଉଁ ପୁଲିସ ହାଉସିଂ କର୍ପୋରେସନ୍ ଟାଉନ୍ ହଲ୍ ପରିସରରେ ପୂର୍ବଭଳି ସିସିଟିଭିର କଣ୍ଟ୍ରୋଲ ରୁମ୍ କରିବ ବୋଲି କହିଥିଲା, ତାହା କରାଯାଇନି। କେବଳ ସିଂହଦ୍ବାରରେ ଏକ କଣ୍ଟେନର ଭିତରେ ଚାଲିଥିବା ସିଂହଦ୍ବାର ଫାଣ୍ଡି ଅଳ୍ପ କିଛି ସିସିଟିଭିର ନିୟନ୍ତ୍ରଣ କରୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts