ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ପୁଣିଥରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ ଭାରତ ସରକାର: ଟିପ୍ପଣି ଓ ଟୁଇଟ୍‌ ଭାରତ ସରକାରଙ୍କ ବିଚାରରେ ନାହିଁ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ତେବେ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଆରମ୍ଭ ହୋଇଯାଇଛି ରାଜନୀତି । ତେବେ ଏହି ମାମଲା ଉପରେ ଭାରତ ସରକାର ପୁଣିଥରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ସରକାରଙ୍କର ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛିଯେ ଟିପ୍ପଣି ଓ ଟୁଇଟ୍‌ ଭାରତ ସରକାରଙ୍କ ବିଚାରରେ ନାହିଁ। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଏନେଇ ଆମ ବାର୍ତ୍ତାକାରମାନଙ୍କୁ ସୂଚନା ଦିଆଯାଇଛି ଯେ ବିବାଦୀୟ ଟିପ୍ପଣି ଓ ଟୁଇଟ୍ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅରିନ୍ଦମ ବାଗଚି କହିଛନ୍ତି ଇରାନ୍‌ ଓ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପୈଗମ୍ୱର ମହମ୍ମଦ ସମ୍ୱନ୍ଧୀୟ ବିବାଦୀୟ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇନାହିଁ। ଆମେ ଏନେଇ ପ୍ରେସ୍‌ ରିଲିଜ୍‌ ଜାରି କରିଥିଲୁ। ଅନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି। ସେ କହିଛନ୍ତି ପୈଗମ୍ୱର ସମ୍ୱନ୍ଧୀୟ ବୟାନରେ ସରକାରଙ୍କର କୌଣସି ମତାମତ ନାହିଁ ବୋଲି ଆମେ ସ୍ପଷ୍ଟ କରିଥିଲୁ ଓ ସମ୍ୱନ୍ଧୀୟ ପକ୍ଷଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅରିନ୍ଦମ ବାଗଚି ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ବୈଦେଶିକ ମନ୍ତ୍ରୀ ସ୍ତରିୟ ସ୍ୱତନ୍ତ୍ର ଏସିଆନ ବୈଠକ ଆଗାମୀ ସପ୍ତାହ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ଏସିଆନ ବୈଠକରେ ମିଆଁମାର ମଧ୍ୟ ଯୋଗ ଦେବ କାରଣ ସେ ମଧ୍ୟ ସଦସ୍ୟ ରହିଛି। ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ସବୁବେଳେ ବିବାଦ ଲାଗିରହିଛି। ଏନେଇ ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତ ସରକାର ସୀମାରେ ଲାଗିରହିଥିବା ବିବାଦ ଓ ଚାଲିଥିବା ଗତିବିଧି ଉପରେ ତିକ୍ଷ୍ଣ ନଜର ରଖିଛନ୍ତି ।

Related Posts