କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସି ଖବର:ସଂଗ୍ରହ ମୂଲ୍ୟ ବୃଦ୍ଧି କଲେ ସରକାର

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କଲେ ସରକାର । ଫଳରେ ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ । ଏଥିରେ ତୋଳାଳି ମାନେ ପାଇବେ ୨ ଶହ ୪୦ କୋଟି ଟଙ୍କା । କେବଳ ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରାଯାଇଛି । ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।

ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ ଉପକୃତ ହେବେ ।

Related Posts