ମାର୍ଚ୍ଚ ୧୬ରେ ଶପଥ ନେବେ ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ରୋ): ପଞ୍ଜାବରେ ଆମ ଆଦମି ପାର୍ଟି ଐତିହାସିକ ବିଜୟ ଲାଭ କରିଛି । ଏହା ମଧ୍ୟରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ମାଚ୍ଚ ୧୬ ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଭଗୱନ୍ତ ମାନ ମାର୍ଚ୍ଚ ୧୬ରେ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକଡରେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶପଥ ନେବେ। ମାର୍ଚ୍ଚ ୧୨ରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଭଗବନ୍ତ ମାନ ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ମଧ୍ୟ ଡକାଇଛନ୍ତି। ମାନ କହିଛନ୍ତି, କ୍ଷମତା ସମ୍ଭାଳିବା ମାତ୍ରେ ସରକାରୀ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗୁଥିବା ପରମ୍ପରାକୁ ସମାପ୍ତ କରିବେ। ସେହି ସ୍ଥାନରେ ସହିଦ ଭଗତ ସିଂହ ଏବଂ ସମ୍ବିଧାନ ନିର୍ମାତା ଡ. ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଲଗାଯିବ। ଏ ପର୍ୟ୍ୟନ୍ତ ମହଲରେ ଚାଲୁଥିବା ସରକାରୀ କାମ ଗାଁ ଏବଂ ଟାଉନରେ କରାଯିବ। ଯୁବକଙ୍କ ହାତରେ ନିଶା ବଟିକା ଜାଗାରେ ଟିଫିନ ବକ୍ସ ରହିବ। ସେମାନଙ୍କୁ ଏବେ ରୋଜଗାର ଦିଆଯିବ।

ସେପଟେ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍ ସିଂହ ଚନ୍ନୀ ଇସ୍ତଫା ଦେଇଛନ୍ତି। ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି। ଅନ୍ୟପଟେ ପଞ୍ଜାବରେ ବିଜୟ ହାସଲ କରିଥିବା ‘ଆପ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ଆଜି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପଞ୍ଜାବ ନିର୍ବାଚନରେ ବିଜୟ ନିମନ୍ତେ ‘ଆପ୍’କୁ ଅଭିନନ୍ଦନ ଜଣାଉଛି। ଏହା ସହ ପଞ୍ଜାବର ମଙ୍ଗଳ ପାଇଁ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

Related Posts