ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଟକିଲା ଗଗନୟାନ ମିଶନ । ଉତ୍କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କେବେ ଉତ୍କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ବୈଷୟିକ କାରଣରୁ ସ୍ଥଗିତ ରଖାଗଲା ପରୀକ୍ଷଣ
ସୂଚନା ଅନୁସାରେ, ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ । ମିଶନ ଗଗନୟାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ।ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବେଙ୍ଗଳୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା । ବହୁ ପରୀକ୍ଷଣ ପରେ ମିଶନ ଗଗନୟାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ’ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।