ଜମ୍ମୁ କାଶ୍ମୀରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଦିନ ୧ ଟା ସୁଦ୍ଧା ୪୧.୧୭ ପ୍ରତିଶତ ମତଦାନ

ଭୁବନେଶ୍ୱର,୧୮/୯(ସତ୍ୟପାଠ ବ୍ୟୁରୋ):  ଜମ୍ମୁ କାଶ୍ମୀରରେ ଜାରିରହିଛି ମତଦାନ। ସମ୍ବିଧାନର ଧାରା ୩୭୦ ଉଚ୍ଛଦ ପରେ ପ୍ରଥମ ଥର ଜାମ୍ମୁ ଓ କାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଥିଲା । ୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ହେଉଛି । ଆଜି ଦିନ ୧ ଟା ସୁଦ୍ଧା ୪୧.୧୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ଏହା ଭିତରେ ରହିଛି କାଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ ଓ ଜମ୍ମୁ ଡିଭିଜନର ରାମବନ, କିସ୍ତୱାର ଓ ଡୋଡାର ୮ ବିଧାନସଭା ସିଟ୍ । ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩ ଲକ୍ଷ ୨୭ ହଜାର ଭୋଟର। ଏଥିପାଇଁ ମୋଟ୍ ୩ହଜାର ୨୭୬ ବୁଥ୍ କରାଯାଇଥିବା ବେଳେ ୧୪ହଜାର ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଓ ଶେଷ ତଥା ତୃତୀୟ ପର୍ଯ୍ୟାୟ ଭୋଟ୍ ଅକ୍ଟୋବର ୧ରେ ହେବ।

ଆସନ୍ତା ଅକ୍ଟୋବର ୮ ତାରିଖରେ ଜଣାପଡିବ କିଏ ମାରିବ ବାଜି । ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପାଇଁ ଲିଟମସ୍ ଟେଷ୍ଟ । ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି ।

Related Posts