ତୁର୍କୀରେ ବସିବ ଋଷ ଓ ୟୁକ୍ରେନ ଦେଶ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ତେବେ ଯୁଦ୍ଧ କୁ ଏଡ଼ାଇବା ପାଇଁ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ଯ ସବୁ ବିଫଳ ହୋଇଚି । ତେବେ ଯୁଦ୍ଧରେ ସାମୟିକ ବିରାମ ଲାଗିବା ପାଇଁ ପୁଣି ଥରେ ଦୁଇ ଦେଶ ଶାନ୍ତି କଥାବାର୍ତ୍ତା ପ୍ରକ୍ରିୟା ଆଗକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଫଳରେ ଆସନ୍ତା ଗୁରୁବାର ଋଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ତୁୁର୍କୀରେ ସାକ୍ଷାତ ଓ ଆଲୋଚନା ହେବା ନେଇ ସୂଚନା ମିଳିଛି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା ବୋଲି କୁହାଯାଉଛି ।

ଋଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ଆଣ୍ଟାଲିଆରେ ତୁର୍କୀରେ ଏକ ଆନ୍ତର୍ଜାତୀୟ କୂଟନୈତିକ ଫୋରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କୁଲେବାଙ୍କ ସହ ସାକ୍ଷାତ କିରବା ସହ ଆଲୋଚନା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭାଙ୍କ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ଆଲୋଚନାକୁ ପ୍ରସ୍ତାବ ଦେଇଥିଲେ ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭଲଟ୍ କାଭୁସୋଗ୍ଲୁ । ବର୍ତ୍ତମାନ ଜାରି ରହିଥିବା ସଙ୍କଟ ମଧ୍ୟରେ ଉଭୟ ଦେଶ ତ୍ରିପାକ୍ଷିକ ଫର୍ମାଟରେ ଆଲୋଚନା କଲେ କିଛି ସୁଫଳ ମିଳିବା ନେଇ ମଧ୍ୟ ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଏପର୍ଯ୍ୟନ୍ତ ୩ ରାଉଣ୍ଡ ଶାନ୍ତି ଆଲୋଚନା ଶେଷ ହୋଇଥିବା ବେଳେ ସମାଧାନର ବାଟ ବାହାରି ପାରିନାହିଁ । ଫଳରେ ଋଷ ଲଗାତାର ଭାବରେ ୟୁକ୍ରେନ ଉପରକୁ ଯୁଦ୍ଧ ଜାରି ରଖିଛି ।

Related Posts