ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୬ ଘଣ୍ଟିଆ ବୌଦ୍ଧ ବନ୍ଦ। ବିଭିନ୍ନ ଦାବି ନେଇ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚକ ଅଖ ସବୁ ଠପ୍‌। ଗାଡି ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଦୋକାନ ବଜାର,ଗାଡ଼ି ଚଳାଚଳ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ।

ବିଭିନ୍ନ ଛକ ଜାଗା ମାନଙ୍କରେ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଆଇନଶୃଂଖଳା ପରିସ୍ଥତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୯୯୪ ମସିହାରୁ ନୂତନ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୁଖ୍ୟ ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରାଯାଇ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆୟୁକ୍ତରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି।

ବୌଦ୍ଧ ଜିଲ୍ଲାକୁ ସମ୍ୱଲପୁର ରାଜସ୍ୱ ଡିଭିଜନରେ ସାମିଲ, ଜିଲ୍ଲାରେ ଆଉ ଏକ ସବ୍‌ଡିଭିଜନ ଗଠନ, ଜିଲ୍ଲା ପରିଷଦ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନଃ ଗଠନ କରି ମନମୁଣ୍ଡା, ବାଉଁଶୁଣୀ ଓ ବଘିଆପଡ଼ାକୁ ନୂତନ ବ୍ଲକ ଘୋଷଣା, ଗ୍ରାମ ପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧କୁ ବୃଦ୍ଧି କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। 

ଏତଦ୍ ବ୍ୟତୀତ ବୌଦ୍ଧ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ସହ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି। ସେହିପରି ଜିଲ୍ଲାର ଥାନା ସଂଖ୍ୟା ୬ରୁ ୧୦କୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି। ଘଣ୍ଟାପଡ଼ା,ଶଗଡ଼ା,ବଘିଆପଡ଼ା ଓ ଆଣେଡିଗଡ଼କୁ ଥାନାର ମାନ୍ୟତା ସହ ଦପଲା, ପଲସାଗୋରା, ସହାଜପାଲ, ମର୍ଯାକୁଦ,ଧଳପୁର,ବୀରନରସିଂହପୁରଓ ମହାଲିକପଡ଼ାଠାରେ ନୂତନ ପୁଲିସ୍‌ ଫାଣ୍ଡି ସ୍ଥାପନ, ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଭଳି ପ୍ରମୁଖ ଦାବିକୁ ନେଇ ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛି କଂଗ୍ରେସ। 

Related Posts