(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଗୋଟିଏ ପଟେ ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ପାର୍ବଣ ଋତୁ ପାଇଁ ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବ ଭଳି ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ ଏବଂ ମଣ୍ଡପର ତିନି ପଟୁ ପରଦା ଢଙ୍କା ଯିବ। ସୂଚନା ଥାଉକି ଏସ୍ଆରସି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୂଳ କାରଣ ତେଣୁ ସରକାରଙ୍କ ପୂର୍ବ ଗାଇଡଲାଇନ୍ରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୂର୍ବ ନିୟମ ଅନୁସାରେ ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ତେବେ ସବୁଠାରୁ ବଡ ପ୍ରଶ୍ନଟି ହେଉଛି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେଲେ ସଂକ୍ରମଣ କିଭଳି ବଢ଼ିବ ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ବିରୋଧ କରି ପୁଣି ଥରେ ସ୍ବର ଉଠାଇଲେଣି ଅନେକ ସାମାଜିକ ସଂଗଠନ।
ଅନ୍ୟପକ୍ଷରେ ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଥିବା ବେଳେ ଓସିଏ କନ୍ଫରେନ୍ସ ହଲ୍ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍ଦାର ହଙ୍ଗାମା ଦେଖାଦେଇଥିଲା। ୧୬ ତାରିଖ ସୁଦ୍ଧା ନିଷ୍ପତ୍ତିର ପୁର୍ନବାର ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରାଯିବ ବୋଲି ସୂଚନା ମିଳିଛି।
ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ଏବେ କଟକ ରାଜନୀତି ସରଗରମ। ବିଜେପି ନେତା ସମୀର ଦେ ଗତ ବୁଧବାର ବିଭିନ୍ନ ପୂଜା କମିଟି ଓ ଲୋକ ପ୍ରତିନିଧିଙ୍କ ସହିତ ସରକାରଙ୍କ ବୈଠକକୁ ନେଇ ପ୍ରଶ୍ନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ବୈଠକକୁ କେବଳ ସରକାରୀ ଦଳର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଡକାଯାଇଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ , ବିଜେଡି କଟକରେ ପୂଜା ନହେବା ଚାହୁଁଛି ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯିବାକୁ ଚେତାବନୀ ଦିଆଯାଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ କୁହାଯାଇଛି ୧୯୧୪ ମସିହାରୁ ମାଙ୍କ ୮ ଫୁଟର ମୃଣ୍ମୟ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ଯାହାକୁ ପରମ୍ପରା ଦୃଷ୍ଟିରୁ ଏବେ ବଦଳାଇବା ସମ୍ଭବ ହେବ ନୁହେଁ। ସେପଟେ ବିଜେପି ଆସନ୍ତା ୧୩ ତାରିଖ ଦିନ ଦେଇଥିବା କଟକ ସହର ବନ୍ଦ ଡାକରାକୁ ଜୋରଦାର କରିବାକୁ ଯୋଜନା କରୁଛି।