ଦେଶରେ ୭ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଜମି ରହିଛି : ରାଜ୍ୟସଭାରେ ସୂଚନା ଦେଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ,2019 ସର୍ଭେ ଅନୁଯାୟୀ ଦେଶର ରେକର୍ଡ ହୋଇଥିବା ଜଙ୍ଗଲ କ୍ଷେତ୍ର ହେଉଛି 7,67,419 ବର୍ଗ କିଲୋମିଟର। ତେବେ ବିବାଦୀୟ ଜଙ୍ଗଲ କ୍ଷେତ୍ରକୁ ହିସାବକୁ ନିଆଯାଇନଥିବା ନେଇ ସେ ସୂଚନା ଦେଇଛନ୍ତି।

ଏକ ଲିଖିତ ଉତ୍ତରରେ ଯାଦବ ରାଜ୍ୟସଭାକୁ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ‘ଜଙ୍ଗଲ’ ଶବ୍ଦ ଏପର୍ଯ୍ୟନ୍ତ ପରିଭାଷିତ ହୋଇନାହିଁ। “ଜଙ୍ଗଲ” ଶବ୍ଦ କୌଣସି କେନ୍ଦ୍ରୀୟ ଜଙ୍ଗଲ ଅଧିନିୟମ, ଯଥା ଭାରତୀୟ ଜଙ୍ଗଲ ଅଧିନିୟମ (1927) କିମ୍ବା ଜଙ୍ଗଲ ସଂରକ୍ଷଣ ଆଇନ (1980) ରେ ବ୍ୟାଖ୍ୟା କରାଯାଇ ନାହିଁ। ଜଙ୍ଗଲକୁ ପରିଭାଷିତ କରିବା ପାଇଁ କେନ୍ଦ୍ର ସରକାର କୌଣସି ମାନଦଣ୍ଡ ସ୍ଥିର କରି ନାହାଁନ୍ତି ବୋଲି ସେ କହିଛନ୍ତି।

ବିଜେପି ସାଂସଦ ରାକେଶ ସିହ୍ନାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ “ଜଙ୍ଗଲ କିପରି ପରିଭାଷିତ ହେଇଛି କିମ୍ବା ଗଠନ ହୋଇଛି, ଏବଂ ଯଦି କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି ତେବେ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ଜମି ବିବାଦ କିପରି ସମାଧାନ ହେଉଛି।

ଜଙ୍ଗଲ ଜମି ପାଇଁ ଆଦିବାସୀଙ୍କୁ ବ୍ୟକ୍ତିଗତ ଆଖ୍ୟା ଦେବାର କୌଣସି ଯୋଜନା ଅଛି କି ନାହିଁ ବୋଲି ସିହ୍ନା ପ୍ରଶ୍ନ କରିଛନ୍ତି। ଜଙ୍ଗଲ ଏବଂ ରାଜସ୍ୱ ବିଭାଗ ମଧ୍ୟରେ ଜମି ଉପରେ ବିବାଦ ଲାଗି ରହିଛି ତେଣୁ ଏହା କିପରି ସମାଧାନ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଯାଦବ କହିଛନ୍ତି ଯେ ଜଙ୍ଗଲ ଜମିକୁ ଶ୍ରେଣୀଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଦାୟୀ ଏବଂ ଏହି ଦୁଇଟି ବିଭାଗ ମଧ୍ୟରେ ବିବାଦର ସମାଧାନ ହେଉଛି।

ଜଙ୍ଗଲ ଜମିକୁ ନେଇ ବିବାଦ ସମ୍ପର୍କରେ ଯାଦବ କହିଛନ୍ତି, “ଜଙ୍ଗଲ ଜମିକୁ ନେଇ ବିବାଦ ପ୍ରକୃତିର ପରିବର୍ତ୍ତନଶୀଳ ଏବଂ ସମାଧାନ ପ୍ରକ୍ରିୟାର ଗତି, ନୂତନ ବିବାଦର ରେକର୍ଡିଂ, ସମ୍ପୃକ୍ତ ରାଜ୍ୟ ଦ୍ବାରା ବିଭାଜନ / ସର୍ଭେ ଇତ୍ୟାଦି ଉପରେ ନିର୍ଭର କରେ। ବିବାଦୀୟ ଜଙ୍ଗଲ କ୍ଷେତ୍ର ମନ୍ତ୍ରଣାଳୟ ଦ୍ୱାରା ମପା ଯାଇନଥିବା ସେ କହିଛନ୍ତି।”

Related Posts