ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଉନସିଲରଙ୍କ ସ୍ୱାମୀଙ୍କୁ ମାରିଥିଲେ କକା ପୁଅ ଭାଇ । ତେବେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁଙ୍କ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସଞ୍ଜୀବଙ୍କ ନିଜ କକା ପୁଅ ଭାଇ। ତା’ ନାଁ ଶ୍ରୀତମ ଭୂଷଣ ଗୁରୁ। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁବର୍ଣ୍ଣପୁର ଏସ୍ପି ଅମରେଶ ପଣ୍ଡା କହିଛନ୍ତି। ଏସ୍ପି କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଲା ଯେ ଘଟଣା ଦିନ ରାତିରେ ସଞ୍ଜୀବ କୁମାର ଗୁରୁ ଆଉ କିଛି ଯୁବକଙ୍କ ସହିତ ମିଶି ତାଙ୍କ ଆଉଟ୍ ହାଉସ୍ରେ ମଦ ପିଇଥିଲେ।
ସେମାନଙ୍କ ସହିତ ଅଭିଯୁକ୍ତ ଶ୍ରୀତମ ଭୂଷଣ ଗୁରୁ ମଧ୍ୟ ଥିଲେ। ମଦ ପିଇବା ପରେ ଅନ୍ୟ ଦୁଇ ଯୁବକଙ୍କୁ ଶ୍ରୀତମ ସେମାନଙ୍କ ଘରେ ନେଇ ଛାଡ଼ି ଦେଇଥିଲେ। ତା’ପରେ ସେ ପୁଣି ସେହି ଆଉଟ୍ ହାଉସ୍କୁ ଆସିଥିଲେ। ସେଠାରେ ରାତି ପ୍ରାୟ ଅଢ଼େଇଟା ବେଳେ ସଞ୍ଜୀବ ଓ ଶ୍ରୀତମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ସଞ୍ଜୀବଙ୍କୁ ଶ୍ରୀତମ ଠେଲି ଦେଇଥିଲା। ଏହା ପରେ ଶ୍ରୀତମ ଏକ ଲୁହା ପାଇପ୍ରେ ସଞ୍ଜୀବଙ୍କ ମୁଣ୍ଡକୁ ୫-୬ ଥର ପିଟି ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।