ବିଧାନସଭାରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୭(ସତ୍ୟପାଠ ବ୍ୟୁରୋ):  ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

 ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ନିଜେ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ କ’ଣ ସବୁ କହିଲେଣି ଚୁମ୍ବକରେ ଜାଣି ନିଅନ୍ତୁ।

 * ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପରିକଳ୍ପନା ଜରୁରୀ

ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ

*  ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ। ସେଥିପାଇଁ ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ହୋଇଛି।

* ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ

୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ

* କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ଆକାର ବଢ଼ିଲା। ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି। ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି।

* କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ। ଧାର୍ଯ୍ୟ ଏମ୍ଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ।

* ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍ କିଷାନ ଆସିଛି। ସିଏମ୍ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି।

* ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା। ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ

 * ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା।

ସୁଭଦ୍ରା ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା। ଏହି ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ। ନିର୍ବାଚନ ଇସ୍ତାହାରରେ ଘୋଷଣା ହୋଇଥିଲା ସୁଭଦ୍ରା ଯୋଜନା।

* ଓଡ଼ିଶାରେ ଆସିବ ରାଜ୍ୟ ସମବାୟ ନୀତି

ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ ହେବ। ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବାକୁ ଯୋଜନାରହିଛି। ଆଗାମୀ ବର୍ଷମାନଙ୍କରେ ବ୍ଲକ ସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ।

* ଚଳିତ ବର୍ଷ ଜଳ ସମ୍ପଦ ବିଭାଗ ନିମନ୍ତେ ବ୍ୟୟ ବରାଦକୁ ୨୫% ବୃଦ୍ଧି କରାଯାଇଛି।

* ଓଡ଼ିଶା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି। ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି।ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ।

* ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ ଆରମ୍ଭ କରାଯିବ। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଆରମ୍ଭ କରାଯିବ। ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ କରାଯାଇଛି।

* ରାଜ୍ୟର ଆଦିବାସୀ ଗ୍ରାମଗୁଡ଼ିକାର ବିକାଶର ଆହ୍ୱାନକୁ ମୁକାବିଲା କରିବାକୁ ‘ଆଦର୍ଶ ଆଦିବାସୀ ଗ୍ରାମ କାର୍ଯ୍ୟକ୍ରମ’ ଶୁଭାରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ମଦ୍ୟରେ ୫୦୦ଟି ଗାଁକୁ ଆଦର୍ଶ ଗାଁରେ ପରିଣତ କରାଯିବ।

* ଦକ୍ଷତା ବିକାଶ ଓ ଆୟ ସୃଷ୍ଟିକାରୀ ଯୋଜନା ମାଧ୍ୟମରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅନୁସୂଚିତ ଜାତି ସଂପ୍ରଦାୟ ମଧ୍ୟରେ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯିବ।

* ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା। ୮୦ ପ୍ରତିଶତରୁ କମ୍ ହୋଇନଥିବା ଭିନ୍ନକ୍ଷମ ମଧ୍ୟ ପାଇବେ ବର୍ଦ୍ଧିତ ଭତ୍ତା।

Related Posts