ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରର କେତେକ ସ୍ଥାନରେ ଏବେ ବି ହିଂସା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ମୈତେଇ ବିଚ୍ଛିନତାବାଦୀ ସଂଗଠନ ଯଥା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ତାହାର ରାଜନୈତିକ ଶାଖା, ରିଭଲ୍ୟୁସନାରି ପିପୁଲ୍ସ ଫ୍ରଣ୍ଟ ଓ ତାହାର ସଶସ୍ତ୍ର ବାହିନୀ, ମଣିପୁର ପିପୁଲ୍ସ ଆର୍ମି, ପିପୁଲ୍ସ ରିଭୋଲ୍ୟୁସନାରି ପାର୍ଟି ଅଫ କଙ୍ଗଲେଇପାକ୍ ଓ ତାହାର ସାମରିକ ଶାଖା ରେଡ ଆର୍ମି, କୋର୍ଡିନେସନ କମିଟି (କୋରକୋମ), ଆଲାଏନ୍ସ ଫର ସୋସିଆଲିଷ୍ଟ ୟୁନିଟି କଙ୍ଗଲେଇପାକ୍ (ଅସୁକ୍)କୁ ବେଆଇନ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏସବୁ ସଂଗଠନକୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିବା ସହ ବ୍ୟାନ ଲଗାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏସବୁ ସଂଗଠନ ଭାରତର ଅଖଣ୍ଡତାକୁ ବିପନ୍ନ କରିବାକୁ ଉଦ୍ୟମ କରୁଛନ୍ତି । ଏସବୁ ସଂଗଠନ ମଣିପୁରକୁ ଭାରତଠାରୁ ଅଲଗା କରି ଏକ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଉଦ୍ୟମ କରୁଛନ୍ତି ଓ ନିଜର ଲକ୍ଷ୍ୟ ହାସଲ ପାଇଁ ସେମାନେ ସଶସ୍ତ୍ର ପନ୍ଥା ଅବଲମ୍ବନ କରୁଛନ୍ତି । ନିଜର ବିଚ୍ଛନ୍ନତାବାଦୀ ଲକ୍ଷ୍ୟ ପାଇଁ ସେମାନେ ସ୍ଥାନୀୟ ଆଦିବାସୀମାନଙ୍କୁ ଉସୁକାଉଛନ୍ତି ଓ ଭାରତର ସୁରକ୍ଷାବଳ ଉପରେ ଆକ୍ରମଣ କରୁଛନ୍ତି ବୋଲି ଗୃହମନ୍ତ୍ରଣାୟ ପକ୍ଷରୁ କୁହାଯାଇଛି।