ମାହାଙ୍ଗା ଡବଲ ମର୍ଡର ମାମଲା; ପୁଣି ପ୍ରତାପଙ୍କ ପାଇଁ ଅଡୁଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢ଼ିଲା ଅଡୁଆ । ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ । ଏହାସହିତ ୪ ସପ୍ତାହ ଭିତରେ ଏହି ମାମଲାରେ ନିଜର ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଗତ ଅକ୍ଟୋବର ମାସରେ ପ୍ରତାପ ଜେନାଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦେଇଥିଲେ ହାଇକୋର୍ଟ | ଏହାପରେ ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ୨ ଜାନୁଆରୀ ୨୦୨୧ରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଡବଲ ମର୍ଡର । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ପ୍ରତାପ ସେତେବେଳେ ମାହାଙ୍ଗାର ବିଧାୟକ ଥିଲେ ଓ ରାଜ୍ୟର ଜଣେ ବରିଷ୍ଠ ବିଜେଡି ମନ୍ତ୍ରୀ ଥିଲେ । ତାଙ୍କ ହାତରେ ଆଇନ ବିଭାଗ ମଧ୍ୟ ଥିଲା । ମାହାଙ୍ଗା ପୋଲିସ ମାମଲାର ଠିକ ଭାବେ ତଦନ୍ତ କରୁନଥିବା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଥିଲା । ଖୋଦ୍ କୁଳମଣିଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା । ଏପରିକି ଏତଲାରେ ମଧ୍ୟ ପ୍ରତାପଙ୍କ ନାଁ ଉଲ୍ଲେଖ କରାଯାଇଥିଲା । ହେଲେ ପରେ ତାଙ୍କ ନାଁକୁ ଚାର୍ଜସିଟରୁ ପୋଲିସ ହଟାଇ ଦେଇଥିଲା | ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା । ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ହୋଇଥିଲା । ସାଲେପୁର କୋର୍ଟଙ୍କ ପୁନଃ ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ନାଁ ଯୋଡ଼ିଥିଲା । ପରେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ପ୍ରତାପ । ଗତ ଅକ୍ଟୋବର ମାସରେ ପ୍ରତାପ ଜେନାଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦେଇଥିଲେ ହାଇକୋର୍ଟ | ପ୍ରତାପଙ୍କ ନାଁରେ ତଳକୋର୍ଟରେ ଥିବା ମାମଲାକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ । ଏହାପରେ ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଡବଲ ମର୍ଡର ଘଟଣାକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା ।

Related Posts