ଜୟ ଜଗନ୍ନାଥ ଧ୍ବନିରୁ ଆରମ୍ଭ ହୋଇଥିଲା ରାହୁଲକୁ ବଞ୍ଚାଇବା ଅଭିଯାନ: ବର୍ଦ୍ଧମାନ ମିଶ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ର ରାହୁଲ ସାହୁ ଏକ ୮୦ ଫୁଟ ଗଭୀର ଗର୍ତ୍ତରେ ପଡ଼ି ନିଜର ଜୀବନ ସହ ସଂଘର୍ଷ କରୁଥିଲେ । ସେପଟେ ତାଙ୍କୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀବଘେଲ ଏହାକୁ ଗୁରୁତ୍ବର ସହିତ ନେଇ ଅପରେସନ କାର୍ୟ୍ୟକୁ ନିଜେ ପରିଚାଳନା କରିଥିଲେ। ସ୍ଥାନୀୟ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଅପରେସନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏକ୍ସପର୍ଟ ଟିମ୍ ସାମିଲ ହୋଇଥିଲେ। ୫ଦିନ ଧରି ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ହୋଇଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ସୁରକ୍ଷିତ ଭାବେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ରାହୁଲ ବିଲାସପୁରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ମଧ୍ୟରେ ଉଦ୍ଧାରକାର୍ୟ୍ୟ ନେଇ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ତେବେ ଉଦ୍ଧାରକାର୍ୟ୍ୟରେ ନିୟୋଜିତ ଥିବା ଏନ୍ଡିଆର୍ଏଫର ସେକେଣ୍ଡ-ଇନ-କମାଣ୍ଡର ବର୍ଦ୍ଧମାନ ମିଶ୍ରା କହନ୍ତି- ପଥର ଖୋଳା କାମ ଆରମ୍ଭ ହେବା ପରେ ଆକାଶରେ ମେଘ ଥାଇ ବି ବର୍ଷା ହୋଇ ନଥିଲା।

ହାଲୁକା ପବନ ବୋହିବାରୁ ଆଜି ପାଗ ଭଲ ଅଛି ଏବଂ ଭଗବାନ ଆମ ସହ ଥିବା କଥା ସେ କହିଥିଲେ। ଏହା ଶୁଣି ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଥିଲେ- ‘ଜୟ ଜଗନ୍ନାଥ’। ତାଙ୍କ ମୁହଁରୁ ‘ଜୟ ଜଗନ୍ନାଥ’ ଶୁଣି ଆମେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଖୋଳିବା କାମ ଆରମ୍ଭ କରିଥିଲୁ। କେବଳ ସେତିକି ନୁହେଁ, ରାହୁଲର ରେସ୍କ୍ୟୁ ଅପରେସନ୍ ସଫଳ ହେବା ପରେ ଶ୍ରୀ ଶୁକ୍ଳା କହିଥିଲେ- ‘ଜୟ ଓଡ଼ିଶାଟ୍ଟଜୟ ଜଗନ୍ନାଥ’।ରାହୁଲଙ୍କୁ ଉଦ୍ଧାର କରାଯିବା ପରେ ଏବେ ତାଙ୍କର ଓଡ଼ିଶା ସହ ଥିବା ସମ୍ପର୍କ ସାମ୍ନାକୁ ଆସିଛି। ସୂଚନା ମିଳିଛି ଯେ, ଥରେ ପୁରୀ ଆସିଥିବା ବେଳେ ରାହୁଲ ବଡଦାଣ୍ଡରେ ହଜି ଯାଇଥିଲେ। ଅନେକ ଖୋଜାଖୋଜି ପରେ ବିମଳା ମାଙ୍କ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲେ ରାହୁଲ। ଦିବ୍ୟାଙ୍ଗ ହୋଇଥିବାରୁ ବହୁ ସମୟ ଧରି ନିଖୋଜ ରହିବା ପରେ ଉଦ୍ଧାର ହୋଇଥିଲେ ରାହୁଲ।

Related Posts