ପ୍ରକାଶ ପାଇଲା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ ଉପସ୍ଥାପିତ କରାଯାଇଥିଲା। ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ଉକ୍ତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରଦର୍ଶନର ସମୀକ୍ଷା ପ୍ରକାଶ କରିଛନ୍ତି । ତେବେ ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି କିଛି ପରିମାଣରେ ସନ୍ତୋଷ ପ୍ରକାଶ କରିଥିଲେ ସୁଦ୍ଧା କିଛି କିଛି କ୍ଷେତ୍ରରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ବିଶେଷକରି କେତେକ ଅନୁଦାନ ରାଶିର ବିନିଯୋଗ ପ୍ରମାଣପତ୍ର ମିଳିନଥିବାରୁ ତାହା ଠିକ ଭାବେ ଖର୍ଚ୍ଚ ହୋଇଛି କି ନାହିଁ ତାକୁ ନେଇ ସିଏଜି ସଂଦେହ ପ୍ରକଟ କରିଛନ୍ତି ।

୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୯୯,୫୪୬ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲେ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୬.୮ ପ୍ରତିଶତ ଅଧିକ ଥିଲା । ତେବେ ଉଲ୍ଲେଖଯୋଗ୍ୟ ଯେ ସେହି ଆର୍ଥିକ ବର୍ଷରେ ସରକାରଙ୍କ ଆୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବ୍ୟୟ ମଧ୍ୟ ବୃଦ୍ଧି ପାଇଥିଲା । ରାଜସ୍ବ ଆୟ ୯୯,୫୪୬ କୋଟି ଟଙ୍କା ରହିଥିବା ବେଳେ ବ୍ୟୟ ପ୍ରାୟ ୧୮.୮୨ ପ୍ରତିଶତ ବୃଦ୍ଧି ପାଇ ୮୫,୩୫୬ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୧୮-୧୯ରେ ରାଜ୍ୟ ୧୪,୧୯୦ କୋଟିର ରାଜସ୍ବ ବଳକା ହାସଲ କରିଥିଲା । ୨୦୧୭-୧୮ରେ ରାଜସ୍ବ ବଳକା ରାଜସ୍ବ ପ୍ରାପ୍ତିର ୧୫.୬୯ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ତାହା ୧୪.୨୫ ପ୍ରତିଳତକୁ ଖସିଆସିଥିଲା ।

ସେହିପରି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୩ଟି ଅନୁଦାନ ଅଧିନରେ ଥିବା ୨୭ଟି ସ୍କିମରେ ମୋଟ ୧୩୦୪ କୋଟି ଟଙ୍କା ବିନିଯୋଗ କରାଯାଇ ନପାରି ଫେରସ୍ତ ଦିଆଯାଇଥିଲା ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୯୫୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ଏହି ରାଶି ମଧ୍ୟରୁ ୧୯,୩୭୧ କୋଟି ବା ୭୫ ପ୍ରତିଶତ ରାଶିର ବିନିଯୋଗ ପ୍ରମାଣପତ୍ର ଦିଆଯାଇନଥିବା କାରଣରୁ ଉକ୍ତ ରାଶି ଉଦ୍ଦିଷ୍ଟ କାର୍ଯ୍ୟପାଇଁ ବ୍ୟବହାର ହୋଇଛି କି ସେଥିରେ କୌଣସି ଭରସା ନଥିଲା ବୋଲି ସିଏଜି କହିଛନ୍ତି।

Related Posts