ବିଜେପି-ଶିବସେନା ସମ୍ପର୍କ ହେଉଛି ଅମିର ଖାନ୍-କିରଣ ରାଓଙ୍କ ସମ୍ପର୍କ ଭଳି – ସଞ୍ଜୟ ରାଉତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ। ଏହା ପୂର୍ବରୁ ବିଜେପି ଶିବସେନା ସମ୍ପର୍କକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ଙ୍କ ” ଶିବସେନା କେବେବି ଆମର ଶତ୍ରୁ ନୁହେଁ” ବୟାନକୁ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ବିଜେପି-ସେନା ସମ୍ପର୍କ ହେଉଛି ଆମୀର ଖାନ ଏବଂ କିରଣ ରାଓଙ୍କ ସମ୍ପର୍କ ଭଳି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ ବିଜେପି ଓ ଶିବସେନା ଭାରତ-ପାକିସ୍ତାନ ନୁହନ୍ତି। ଆମୀର ଖାନ ଏବଂ କିରଣ ରାଓଙ୍କ ସମ୍ପର୍କ ଯେଭଳି ସେହିପରି ଆମର (ଶିବସେନା-ବିଜେପି) ମଧ୍ୟ ସମ୍ପର୍କ ରହିଛି। ରାଜନୈତିକ ବିରୋଧ ଅଲଗା କଥା କିନ୍ତୁ ବନ୍ଧୁତା ସବୁବେଳେ ଅକ୍ଷୁର୍ଣ୍ଣ ରହିବ ବୋଲି ସଞ୍ଜୟ ରାଉତ କହିଛନ୍ତି। ”  ସୂଚନାଯୋଗ୍ୟ ଯେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏବଂ ବିଜେପି ବିଧାୟକ ଆଶିଷ ଶେଲାରଙ୍କ ବୈଠକକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଞ୍ଜୟ ରାଉତ ଏହି ବୈଠକକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କିନ୍ତୁ କହିଥିଲେ ଯେ ଶିବସେନା ଆମ ପାଇଁ “ଶତ୍ରୁ” ନୁହେଁ ।  ଦୁଇ ପୂର୍ବତନ ସହଯୋଗୀ ଦଳ ପୁଣି ଥରେ ଏକାଠି ହେବାର ସମ୍ଭାବନାକୁ ନେଇ ଫଡନାଭିସ୍ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ “ଆମେ (ଶିବସେନା ଏବଂ ବିଜେପି) କେବେ ବି ଶତ୍ରୁ ନଥିଲୁ। ସେମାନେ ଆମର ବନ୍ଧୁ ଏବଂ ଯେଉଁ ଲୋକଙ୍କ ବିରୋଧରେ ସେମାନେ ଲଢିଥିଲେ, ସେମାନଙ୍କ ସହ ମିଶି ସରକାର ଗଠନ କରିଛନ୍ତି । ରାଜନୀତିରେ କୌଣସି ଯଦି କିନ୍ତୁ ପରନ୍ତୁ ନଥାଏ , ସର୍ଵଦା ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯାଏ ବୋଲି ଫଡନାଭିସ୍ କହିଛନ୍ତି। ତେବେ ଏନସିପି ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର କାର୍ଯ୍ୟାନୁଷ୍ଠାନ ସମୟରେ ବିଜେପିର ଏଭଳି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଉଭୟ ଶିବସେନା ଏବଂ ଏନସିପି କହିଛନ୍ତି ଯେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡୀ ସରକାରକୁ ଅସ୍ଥିର କରିବା ପାଇଁ ବିରୋଧୀ ଦଳ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ଏପଟେ କଂଗ୍ରେସ ମଧ୍ୟ ସ୍ପଷ୍ଟ କରିଛି ଯେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାରରେ ଅଛନ୍ତି । ଗତ ସପ୍ତାହରେ ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।  

Related Posts