ଅବସର ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଜଜ୍‌ମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ମିଳିବ ଏହି ଏହି ସୁବିଧା

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପଚି (ସିଜେଆଇ)ଙ୍କ ଅବସର ପରେ ତାଙ୍କୁ ମିଳୁଥିବା ସୁବିଧାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୬ ମାସ ପର୍ଯ୍ୟନ୍ତ ବିନା ଭଡ଼ାରେ ଆବାସ ସୁବିଧା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି। ସେହିପରି ବିଚରପତିମାନଙ୍କୁ ଅବସର ପରର ଏକବର୍ଷ ପର୍ଯ୍ୟନ୍ତ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି।

ଆଇନ ମନ୍ତ୍ରାଳୟଙ୍କ ନ୍ୟାୟ ବିଭାଗ ସଂଶୋଧିତ ‘ସୁପ୍ରିମକୋର୍ଟ ଜଜ୍ ରୁଲ’ ନୋଟିଫିକେସନ କରିଛନ୍ତି। ନୋଟିଫିକେସନ ଅନୁସାରେ ପୂର୍ବତନ ଜଜ୍ ମାନଙ୍କୁ ଅବସର ଦିନରୁ ୧ ବର୍ଷ ପର୍ଯ୍ୟନ୍ତ କାର ଚାଳକ ଓ ସଚିବାଳୟ ସମ୍ପର୍କିତ ସହାୟତା ପ୍ରଦାନ କରାଯିବ।

ଆଇନମନ୍ତ୍ରାଳୟ ଅଧିକାରୀଙ୍କ ଅନୁସାରେ ସୁପ୍ରିମକୋର୍ଟରେ ମଞ୍ଜୁର ଜଜଙ୍କ ସଂଖ୍ୟା ୩୪ ଓ ପ୍ରତ୍ୟେକ ବର୍ଷ ଏଥିରୁ ହାରହାରି ୩ ଜଣ ଲେଖାଏଁ ଜଜ୍‌ ଅବସର ଗ୍ରହଣ କରିଥାନ୍ତି। ଭାରତର ଚିଫ୍ ଜଷ୍ଟିସ୍‌ ଏନ.ଭି.ରମଣ ଅବସର ପରେ ନୂଆ ସୁବିଧାର ଲାଭ ନେବାରେ ହେବେ ପ୍ରଥମ ପ୍ରଧାନ ନ୍ୟାୟାଧୀଶ। ସିଜେଆଇ ରମଣଙ୍କ କାର୍ଯ୍ୟକାଳ ଆସନ୍ତା ଶୁକ୍ରବାର ଶେଷ ହେଉଛି। ସଂଶୋଧିତ ନିୟମାନୁସାରେ ଅବସରପ୍ରାପ୍ତ ପ୍ରଧାନବିଚାରପତି ହୁଅନ୍ତୁ କି ସୁପ୍ରିମକୋର୍ଟ ବିଚାରପତି ବିମାନ ବନ୍ଦରର ଔପଚାରିକ ଲାଉଞ୍ଜରେ ପ୍ରୋଟକଲର ହକଦାର ହେବେ।

ଅଧିସୂଚନା ଅନୁସାରେ ଅବସରପ୍ରାପ୍ତ ବିଚାରପତିଙ୍କ ସହାୟତା ଲାଗି ସଚିବାଳୟ ସହାୟକ ପ୍ରଦାନ କରାଯିବ। ଯିଏ ସୁପ୍ରିମ କୋର୍ଟର ବ୍ରାଞ୍ଚ ଅଧିକାରୀ ସ୍ତରର ହୋଇଥିବେ। ଏହା ଛଡା ରିଟାୟାର ଚିଫ୍ ଜଷ୍ଟିସ୍ ଅଥବା ଜଜ୍‌ମାନଙ୍କୁ ସେମାନଙ୍କ ରିଟାୟାରମେଣ୍ଟ ତାରିଖରୁ ଦିଲ୍ଲୀରେ ୬ ମାସ ଲାଗି ବିନା ଭଡାରେ ଟାଇପ-୭ ଘର ଯୋଗାଇ ଦିଆଯିବ। ଏମିତିରେ ଏପରି ଘର ପ୍ରାୟତଃ ରାଜଧାନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦିଆଯାଇଥାଏ।

ଉଲ୍ଲେଖଯୋଗ୍ୟ ଯେ ଗତ ଚିଫ୍ ଜଷ୍ଟିସ୍‌ ଓ ଚିଫମିନିଷ୍ଟର କନଫରେନ୍ସରେ ଏପରି କେତେକ ପ୍ରସଙ୍ଗ ଉଠାଯାଇଥିଲା ଯାହାକୁ ସଂଶୋଧନ କରିଦିଆଯାଇଛି। ଗତବର୍ଷ ମଧ୍ୟ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଜଜ୍ ମାନଙ୍କ ସୁବିଧାରେ ପରିବର୍ତ୍ତନ କରିଥିଲେ। ଏଥିରେ ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଚିଫ ଜଷ୍ଟିସ୍‌ଙ୍କ ଡ୍ରାଇଭର, ଅର୍ଦ୍ଦଳୀ ଓ ସୁରକ୍ଷା କର୍ମୀଙ୍କୁ ବେତନ ଦେବା ନିମନ୍ତେ ପ୍ରଦାନ କରାଯାଉଥିବା ମାସିକ ୨୫ ହଜାର ଟଙ୍କାକୁ ବଢାଇ ୭୦ ହଜାର କରିଦିଆଯାଇଥିଲା।

Related Posts