ମାନବବାଦୀ ସଂଗଠନର ବର୍ବର କାଣ୍ଡ , ସଙ୍ଗଠନରେ ସାମିଲ ନ ହେବାରୁ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିଲେ କର୍ମକର୍ତ୍ତା !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମାନବବାଦ ସଙ୍ଗଠନର ବର୍ବର କାଣ୍ଡ। ସଂଗଠନରେ ସାମିଲ ନ ହେବାରୁ ଦୁଇଜଣ ନିରୀହ ଆଦିବାସୀଙ୍କୁ ନିସ୍ତୁକ ମାଡ଼ ମରା ଯାଇଥିବା ଅଭିଯୋଗ। କୋଠ ଘରେ ପୁରାଇ ବାପ ପୁଅଙ୍କୁ ନିସ୍ତୁକ ପିଟିଲେ ସଙ୍ଗଠନର କର୍ମକର୍ତ୍ତା। ଏମିତି ଏକ ବର୍ବର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କଡ଼ବ ଅଞ୍ଚଳରେ। ସଙ୍ଗଠନର କର୍ମକର୍ତ୍ତା ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। 

ସୂଚନା ମୁତାବକ ,  ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ସ୍ଥିତ କଡ଼ବ ଗାଁର ଏହି ବାପ ଓ ପୁଅଙ୍କୁ ଏକ ମାନବବାଦୀ ସଂଗଠନ ପକ୍ଷରୁ ତାଙ୍କ ସଂଗଠନରେ ସାମିଲ ହେବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ ସଂଗଠନରେ ସାମିଲ ନ ହେବାରୁ ଏଭଳି ଅକଥନୀୟ ଅତ୍ୟାଚାର କରିଛନ୍ତି ସଙ୍ଗଠନର କର୍ମକର୍ତ୍ତା। 

ତେବେ ଏହି ଘଟଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା , ସେ କହିଛନ୍ତି ,“ସକାଳ ପ୍ରାୟ ୧୦ଟା ସମୟରେ ମୋତେ ଓ ମୋ ପୁଅକୁ ସେମାନେ ଡାକି ନେଇଥିଲେ। ରାସ୍ତା ଉପରେ ଆଣ୍ଠୁ ମାଡ଼ି ବସିବାକୁ କହିଥିଲେ। ତା’ପରେ ଆମକୁ ଏକ କୋଠଘର ଭିତରକୁ ନେଇଯାଇ ଦେହରୁ କପଡ଼ା କାଢ଼ି ଦେଇ ନିସ୍ତୁକ ମାଡ଼ ମାରିଥିଲେ।”

ତେବେ ଘଟଣା ସାମ୍ନାକୁ ଆସିବା ପରେ ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା କହିଛନ୍ତି ଯେ, ‘ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଯଦି ଏ ସମ୍ପର୍କରେ କୌଣସି ବି ଅଭିଯୋଗ ଆସେ ତେବେ ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାନବବାଦୀ ସଂଗଠନ ପକ୍ଷରୁ କରଡ଼ଗାଡ଼ିଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଅଯାଇଥିବା ଅଭିଯୋଗ ହୋଇଥିଲା।  ସେହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା ।

Related Posts