ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଏବଂ ଜିଲ୍ଲା ଅଧ୍ୟକ୍ଷ ପଦବୀକୁ ଛାଡ଼ି ଦଳର କାର୍ଯ୍ୟକାରୀ ସମିତିକୁ ଭାଙ୍ଗିଲା ‘ବହୁଜନ ସମାଜ ପାର୍ଟି’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆକ୍ସନରେ ବହୁଜନ ସମାଜ ପାର୍ଟି’ । ଆଜି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଏବଂ ଜିଲ୍ଲା ଅଧ୍ୟକ୍ଷ ପଦବୀକୁ ଛାଡ଼ି ଦଳର କାର୍ଯ୍ୟକାରୀ ସମିତିକୁ ଭଙ୍ଗା ଯାଇଛି।

ରାଜ୍ୟ ଦାୟିତ୍ବରେ ରହିବା ପାଇଁ ୩ଜଣ ମୁଖ୍ୟ ସମନ୍ବୟ ରକ୍ଷାକାରୀଙ୍କ ନାମ ମଧ୍ୟ ‘ବିଏସ୍‌ପି’ ଘୋ‌ଷଣା କରିଛି। ସେ ୩ ନେତା ହେଲେ, ମିରଟର ମୁନ୍‌କଦ୍‌ ଅଲି, ବୁଲନ୍ଦସରର ରାଜକୁମାର ଗ‌ୌତମ ଏବଂ ଆଜମଗଡ଼ର ବିଜୟ କୁମାର। ବିଧାନସଭା ନିର୍ବାଚନରେ ଦଳ ପରାସ୍ତ ହେବା ପରେ ମାର୍ଚ ୨୭ ତାରିଖରେ ସମୀକ୍ଷା ବୈଠକ ବସିବ ବୋଲି ଗତକାଲି ଘୋଷଣା କରାଯାଇଥିଲା।

ଏବେ ଦଳରେ ବହୁ ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ଦଳର ଡିଭିଜନ୍‌ସ୍ତରୀୟ ସଙ୍ଗଠନରେ ମଧ୍ୟ ଅନେକ ନୂଆ ନେତାଙ୍କୁ ଦାୟିତ୍ବ ଦିଆଯାଇ ପାରେ।

ସଦ୍ୟତମ ସୂଚନା ଅନୁସାରେ, ଆଜମଗଡ଼ ଉପନିର୍ବାଚନ ନିମନ୍ତେ ‘ବହୁଜନ ସମାଜ ପାର୍ଟି’ ଗୁଡ୍ଡୁ ଜମାଲିଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ବିଧାନସଭା ନିର୍ବାଚନ ପୂର୍ବରୁ ସେ ଆସନରେ ବିଧାୟକ ଥିବା ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଇସ୍ତଫା ଦେବାରୁ ସେଠାରେ ଉପନିର୍ବାଚନ ‌ଆବଶ୍ୟକ ହେଲା।

ଉଲ୍ଲେଖଯୋଗ୍ୟ, ଅଳ୍ପ ଦିନ ତଳେ ‘ଏଆଇଏମ୍‌ଆଇଏମ୍‌’ ପରିତ୍ୟାଗ କରି ଶାହା ଆଲାମ୍‌ ଓରଫ ଗୁଡ୍ଡୁ ଜମାଲି ‘ବିଏସ୍‌ପି’କୁ ଫେରିଥିଲେ। ‘ଏଆଇଏମ୍‌ଆଇଏମ୍‌’ ଟିକେଟ୍‌ରେ ସେ ଆଜମଗଡ଼ ଜିଲ୍ଲାର ମୁବାରକପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୨୦୧୨ରେ ଏହି ଆସନରୁ ଜିତି ବିଧାୟକ ହୋଇଥିଲେ।

Related Posts