ଏଣିକି ଅନ୍‌ଲାଇନରେ ଉପଲବ୍ଧ ହେବ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା, ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗ ଆଉ ଏକ ଭିନ୍ନ ପ୍ରୟାଶ ଆରମ୍ଭ କରିଛି। ଏଣିକି ଅନ୍‌ଲାଇନରେ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ଉପଲବ୍ଧ କରିବା ନେଇ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ତେବେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ମଧ୍ୟ କରୋନା ମହାମାରୀ ଲାଗି ଗତ ୨ବର୍ଷ ହେବ ଏହା ଲାଗୁ ହୋଇପାରି ନଥିଲା। ଏବେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ଉତ୍ତରଖାତା ଅପ୍‌ଲୋଡ୍ ହେବା ଦ୍ଵାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କର କୌଣସି ପ୍ରକାର ଆପତ୍ତି ଅଭିଯୋଗର ସଂଖ୍ୟା ହ୍ରାସକରିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।

ପୂର୍ବରୁ ଏଥିପାଇଁ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କପାଇଛନ୍ତି ତାହା ସିଧାସଳଖ ଅନଲାଇନ୍ ମାଧ୍ୟମରେ ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁ ଥିଲେ ସେହି ସମସ୍ୟାର ସମାଧାନ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ଓ ପାସୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ । ଏନେଇ ଏବେ ଗଣଶିକ୍ଷା ବଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି।

Related Posts