(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସଂକ୍ରମଣ ଭୟରେ ମୃତକଙ୍କ ଶବଦାହ କରିବା ପାଇଁ ଡରୁଛନ୍ତି। ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଲୋକେ ଲାଇନ୍ ରେ ଛିଡ଼ା ହେଉଛନ୍ତି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଆନ୍ଧ୍ରପ୍ରଦେଶ ସରକାର 15,000 ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୁହାଯାଇଛି, “ସରକାର, ପ୍ରତ୍ୟେକ କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ, 15,000 ଟଙ୍କା ମଞ୍ଜୁରୀ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।” ରାଜ୍ୟ ମୁଖ୍ୟ ଶାସନ ସଚିବ ଅନିଲ କୁମାର ସିଙ୍ଗଲ ଏ ନେଇ ସୂଚନା ଦେଇଛନ୍ତି । ଏହି ଆର୍ଥିକ ସହାୟତା କୋଭିଡ୍ ମୁକାବିଲା ପାଇଁ ଆବଣ୍ଟିତ ପାଣ୍ଠିରୁ ଖର୍ଚ୍ଚ ହେବ। ଏଥିରେ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିଶନର୍ ଆବଶ୍ୟକୀୟ ପାଣ୍ଠି ରାଜ୍ୟର ସମ୍ପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରଦାନ କରିବେ। ସରକାରୀ ତଥ୍ୟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ କୋଭିଡ -19 ର 2,07,467 ଆକ୍ଟିଭ କେସ୍ ରହିଥିବା ବେଳେ ରାଜ୍ୟରେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା 9,271 କୁ ବୃଦ୍ଧି ପାଇଛି।
Related Posts