ଟି-୨୦ ବିଶ୍ୱକପ୍‌ ୨୦୨୨ରୁ ବିଦା ହେଲା ଆଫଗାନିସ୍ତାନ ଟିମ୍‌

ବ୍ରିସବେନ୍‌ : ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଶ୍ରୀଲଙ୍କାଠୁ ୬ଓ୍ୱିକେଟ୍‌ରେ ପରାସ୍ତ ହୋଇ ଆଫଗାନିସ୍ତାନ ଟିମ୍‌ ବିଦାୟ ନେଇଛି । ଅଷ୍ଟ୍ରେଲିଆର ବ୍ରିସବେନ୍‌ର ଗାବା ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ଏହି ମୁକାବିଲା। ଏହି ମୁକାବିଲାରେ ଆଫାଗାନିସ୍ତାନକୁ ୬ ଓ୍ୱିକେଟ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା ।

ମଙ୍ଗଳବାର ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ ଟିମ୍‌ । ପ୍ରାରମ୍ଭିକ ଭଲ ଆରମ୍ଭ ସତ୍ତ୍ୱେ ଭଲ ସ୍କୋର କରିପାରିନଥିଲା ଆଫଗାନିସ୍ତାନ ଟିମ୍‌ । ଦଳ ପକ୍ଷରୁ କୌଣସି ବ୍ୟାଟସମ୍ୟାନ୍‌ ବଡ଼ ସ୍କୋର କରିପାରିନଥିଲେ । ମୋଟ ୨୦ ଓଭରରେ ୮ ଓ୍ୱିକେଟ୍‌ ହରାଇ ଆଫଗାନିସ୍ତାନ ଟିମ୍‌ ୧୪୪ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସର୍ବାଧିକ ଗୁରୁବାଜ ୨୮ ରନ୍‌ କରିଥିଲେ । ଏହାପରେ ଉସମାନ୍‌ ଘାନି ୨୭ ରନ୍‌, ଇବ୍ରାହିନ୍‌ ଜଦ୍ରାନ୍‌ ୨୨ରନ୍‌, ନଜିବୁଲ୍ଲା ୧୮ରନ୍‌, ଗୁଲ୍‌ବାଦିନ୍‌ ୧୨ରନ୍‌ , ନାବି ୧୩ରନ୍‌, ରାସିଦ ଖାନ୍‌ ୯ରନ୍‌, ଆଜ୍‌ମାତୁଲ୍ହା ୩ ରନ୍‌ କରିଥିଲେ ।

ସେପଟେ ଶ୍ରୀଲଙ୍କା ପକ୍ଷରୁ ହସରାଙ୍ଗା ୪ଓଭର ବୋଲିଂ କରି ୧୩ ରନ୍‌ ଦେଇ ସର୍ବାଧିକ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ଲେହେରୁ କୁମାରା ୨ଟି ଓ୍ୱିକେଟ୍‌ ନେଇଛନ୍ତି । ସେ ୪ ଓଭର ବୋଲିଂ କରି ୩୦ ରନ୍‌ ଦେଇଛନ୍ତି । ସେହିପରି ଧନଞ୍ଜୟ ଡିସଲଭା ଏବଂ ରାଜିଥା ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।

ତେବେ ୧୪୫ ରନ୍‌ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା ବାହିନୀ । ଦଳ ପକ୍ଷରୁ ପାଥୁମା ନିଶାଙ୍କା ୧୦ ରନ୍‌, କୁସଲ୍‌ ମେଣ୍ଡିସ୍‌ ୨୫ରନ୍‌, ଧନଞ୍ଜୟ ଡିସ୍‌ଲଭା ବିସ୍ଫୋରକ ୬୬ ରନ୍‌, ଚାରିଥା ଆସଲଙ୍କା ୧୯ରନ୍‌, ଭାନୁକା ରାଜପକ୍ଷେ ୧୮ରନ୍‌ କରିଥିଲା । ଯାହାଫଳରେ ଶ୍ରୀଲଙ୍କା ଟିମ୍‌ ୧୮.୩ ବଲ୍‌ରେ ୪ ଓ୍ୱିକେଟ୍‌ ହରାଇ ଏହି ରନ୍‌କୁ ଚେଜ୍‌ କରିବାରେ ସଫଳ ହୋଇଥିଲା ।

Related Posts