ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡିଜିପି ସମ୍ମିଳନୀ ପଣ୍ଡ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁର ଧମକ । ଛଦ୍ମବେଶରେ ଆସି ସମ୍ମିଳନୀ ଭଣ୍ଡୁର କରିବାକୁ ଆହ୍ବାନ । କଡା ସୁରକ୍ଷା ବଳୟରେ ଭୁବନେଶ୍ବର । ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ । ୩ଦିନିଆ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭୁବନେଶ୍ୱର ଆସୁଛନ୍ତି । ସବୁ ରାଜ୍ୟର ୯୦ରୁ ଅଧିକ ଡିଜିପି ଓ ଆଇଜିପି ପାହ୍ୟାର ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ସାମିଲ ହେବେ । ଏହା ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଭିଡିଓ ସାମନାକୁ ଆସିଛି ।
ଭିଡିଓରେ କଣ କହିଛି ପନ୍ନୁ?
ଭିଡିଓ ବାର୍ତ୍ତାରେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଆହ୍ବାନ ଦେଉଛି ପନ୍ନୁ । ହିନ୍ଦୁତ୍ବ ଚିନ୍ତାଧାରାରେ ସମ୍ମିଳନୀ କରାଯାଉଛି । ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀର ଯୋଦ୍ଧା, ଆତଙ୍କବାଦୀ ଓ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା ହେଉଛି । ମୋଦି, ଶାହା ଓ ଡୋଭାଲ ଭୁବନେଶ୍ବରକୁ ବଡ ବିପଦ ଆଣୁଛନ୍ତି । ଛଦ୍ମବେଶରେ ଆସି ରାଜଧାନୀର ମନ୍ଦିର, ହୋଟେଲରେ ଲୁଚି ରହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁ ଖଲିସ୍ତାନୀଙ୍କୁ ଆହ୍ବାନ କରିଛି । ପନ୍ନୁର ଧମକପୂର୍ଣ୍ଣ ଭିଡିଓ ଆସିବା ପରେ ଯେକୌଣସି ଅଘଟଣ ଏଡାଇବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ-ଭୁବନେଶ୍ୱର ପୋଲିସ କମିଶନର କହିଛନ୍ତି ।