ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ୨୭ ପର୍ଯ୍ୟଟକଙ୍କ ମୃତ୍ୟୁ, କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର,୨୩/୦୪(ସତ୍ୟପାଠ ବ୍ୟୁରୋ): ଗତକାଲି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପାହାଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ସ୍ଥାନ ଶ୍ରୀନଗରରୁ ପ୍ରାୟ ୮୫ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ ଟିଆରଏଫ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍। ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜର ଘନିଷ୍ଠ ସୈଫୁଲ୍ଲାହ କସୁରୀ ବୋଲି କୁହାଯାଉଛି।

TRFରେ ମୁଖ୍ୟତଃ ହାଇବ୍ରିଡ୍ ଆତଙ୍କବାଦୀ କାମ କରନ୍ତି। ଯାହା ପାକିସ୍ତାନ ଦ୍ୱାରା ପରିଚାଳିତ ହୁଏ। ହାଇବ୍ରିଡ୍ ଆତଙ୍କୀ ଯାହା ଉନ୍ନତଧରଣର ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରୁହନ୍ତି। ଏମାନେ ବର୍ଷ ତମାମ୍ ସାଧାରଣ ଜନତାଙ୍କ ସହ ରୁହନ୍ତି, ନିଜ ଆତଙ୍କୀ ଆକ୍କାରୁ ଅର୍ଡର ମିଳିଲେ ହମଲା କରିଥାନ୍ତି। TRF ଦ୍ୱାରା ମେ’ ୨୦୨୦ରେ ୩ ଯବାନଙ୍କୁ ହତ୍ୟା କରାଯାଇଥିଲା। ଜୁନ୍ ୨୦୨୦ରେ ହିନ୍ଦୁ ସରପଞ୍ଚଙ୍କୁ ହତ୍ୟା, ଅକ୍ଟୋବର ୨୦୨୦ରେ ୩ ବିଜେପି କର୍ମୀଙ୍କୁ ହତ୍ୟା ଏବଂ ଅକ୍ଟୋବର ୨୦୨୧ରେ ୭ ଜଣଙ୍କୁ ହତ୍ୟା କରିଥିଲେ

ଏହି ଆକ୍ରମଣ ପରେ ସମଗ୍ର କାଶ୍ମୀର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଘଟଣା ପରଠୁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଦିଗରେ ସେନା, ସିଆରପିଏଫ୍ ଓ ଜମ୍ମୁ-କାଶ୍ମୀର ପୋଲିସଙ୍କ ମିଳିତ ଅଭିଯାନ ଚାଲିଛି। ପାହାଲଗାମ ଆକ୍ରମଣ ସ୍ଥଳୀରୁ ୫ କି.ମି. ଚତୁର୍ଦିଗ ଅଞ୍ଚଳରେ ତଦନ୍ତ କରାଯାଉଛି। ସ୍ପେଶଲ୍ ଫୋର୍ସ, ସ୍ନିଫର୍ କୁକୁର ଓ ଟେକ୍ନୋଲୋଜି ଦ୍ୱାରା ଆତଙ୍କୀ କେଉଁଠି ଅଛନ୍ତି ତାହାର ସନ୍ଧାନ ଜାରି ରହିଛି। ରାସ୍ତା ଓ ସେନ୍ସିଟିଭ୍ ଅଞ୍ଚଳରେ ଅଧିକ ଚେକପୋଷ୍ଟ ବିସ୍ଥାପିତ କରାଯାଇଛି। ମୁଖ୍ୟ ସଂସ୍ଥାନ ଓ ପର୍ଯ୍ୟଟନ ସ୍ଥାନରେ ତତ୍ପର ଦଳ ରଖାଯାଇଛି। ସୂଚନା ମୁତାବକ ଉତ୍ତର ସେନା କମାଣ୍ଡର୍ ଲେଫ୍ଟନେଣ୍ଟ ଜେନେରାଲ୍ ଏମ.ଭି. ସୁଚେନ୍ଦ୍ର କୁମାର୍ ଆଜି ଶ୍ରୀନଗରରେ ସ୍ଥାନୀୟ କମାଣ୍ଡରଙ୍କୁ ମିଳି ସୁରକ୍ଷା ପରିସ୍ଥିତି ବିଷୟରେ ଆଲୋଚନା କରିବେ।

ଶ୍ରୀନଗର, ଗୁଲମାର୍ଗ ଓ ସୋନମାର୍ଗ ଭଳି ପର୍ଯ୍ୟଟନ ସ୍ଥଳରେ ଯାଞ୍ଚକୁ ବଢ଼ାଯାଇଛି। ପର୍ଯ୍ୟଟକ ରହୁଥିବା ହୋଟେଲଗୁଡ଼ିକ ଉପରେ ନଜର ରଖାଯାଉଛି। ସୁରକ୍ଷା ବିଭାଗ କହିଛି ଯେ, ମୃତ୍ୟୁ ସଂଖ୍ୟା ସଠିକ୍ ଭାବେ ଗଣନା କରାଯାଉଛି ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ଆତଙ୍କୀ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

Related Posts