ଯମୁନା ଏକ୍ସପ୍ରେସ ୱେ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଡମ୍ଫର ଭିତରେ ପଶିଗଲା ବୋଲେରୋ, ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଜେବର ଥାନା ଅଧୀନ ଯମୁନା ଏକ୍ସପ୍ରେସ ୱେ ନିକଟରେ ଆଜି ସକାଳୁ ଗୋଟିଏ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସେହିପରି ଆହତ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବୋଲେରୋରେ ୭ ଜଣ ଲୋକ ଆଗ୍ରାରୁ ନୋଏଡା ଯାଉଥିଲେ। ତେବେ ଜେବର ଟୋଲା ପ୍ଲାଜା ଠାରୁ ୪୦ କିମି ଦୂର ମାଇଲଷ୍ଟୋନ ପାଖରେ ଦ୍ରୁତଗାମୀ ବୋଲେରୋର ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଆଗରେ ଯାଉଥିବା ଗୋଟିଏ ଡମ୍ଫରକୁ ପଛପଟୁ ଧକ୍କା ଦେଇଥିଲା।

ବୋଲେରୋର ଗତି ଅଧିକ ଥିବାରୁ ଏହା ଡମ୍ଫରର ଭିତରେ ପଶି ଯାଇଥିଲା। ଫଳରେ ଗାଡ଼ିଟିର ଅଧା ଅଂଶ ସଂପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଭୋର ୫ଟାରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ୪ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ରିସିଭ ଡେଡ୍‌ ଘୋଷଣା କରିଥିଲେ।

ସେହିପରି ଏବେ ଅନ୍ୟ ଦୁଇ ଜଣ ଆହତ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ପୁଲିସ୍ ଘଟଣା ସ୍ଥଳରୁ ଦୁଇଟି ଯାକ ଗାଡ଼ିକୁ ଜବତ କରିଛି। ଏଥିସହ ଦୁର୍ଘଟଣାର କାରଣ ଖୋଜିବାକୁ ପ୍ରୟାସ କରୁଛି।

ମୃତାହତମାନେ ଦୁଇଟି ପରିବାରର ସଦସ୍ୟ। ଏମାନେ ପୁଣେ ଓ କର୍ଣ୍ଣାଟକାରରେ ରୁହନ୍ତି। କୌଣସି କାମରେ ଆଜି ଭୋରରୁ ସମସ୍ତେ ଗୋଟିଏ ବେଲେରୋ ଯୋଗେ ଆଗ୍ରାରୁ ନୋଏଡାକୁ ଯାଉଥିଲେ।

Related Posts