କେନ୍ଦ୍ର ସରକାର ଫୋନ୍‌ ଓ ଇ-ମେଲ୍‌ ହ୍ୟାକ୍ କରିନେଉଥିବା ଅଭିଯୋଗ ଆଣିଲେ ବିରୋଧୀ, ଜବାବ ରଖିଲେ ଟେଲିକମ୍‌ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବିରୋଧୀ ଦଳର କିଛି ପ୍ରମୁଖ ନେତା କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ | କେନ୍ଦ୍ରର ମୋଦି ସରକାର ତାଙ୍କର ଫୋନ୍‌ ଓ ଇ-ମେଲ୍‌ ହ୍ୟାକ୍ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି | ଏନେଇ ସମ୍ପୃକ୍ତ ନେତା ମାନଙ୍କ ଆଇ-ଫୋନ୍‌କୁ ଆଲର୍ଟ ମେସେଜ ଆସିଥିବା ନେଇ ସେମାନେ ସୂଚନା ଦେଇଛନ୍ତି | କ୍ୟାସ୍‌ ଫର୍ କ୍ୱେରି ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଟ୍ୱିଟ କରି, କେନ୍ଦ୍ର ସରକାର ତାଙ୍କ ଫୋନ୍ ଏବଂ ଇମେଲ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି| ଠିକ ସେହିଭଳି କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା, AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆଶଦ୍ଦୁଦୀନ ଓୱେସି ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି |

ସେହିପରି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡା ମଧ୍ୟ ନିଜ ଫୋନରେ ଆପଲ କମ୍ପାନୀ ପକ୍ଷରୁ ଏହି ଆଲର୍ଟ ନୋଟିଫିକେସନ ପାଇଥିବା ନେଇ ସୂଚନା ଦେଇଛନ୍ତି | ତେବେ ସବୁ ବିରୋଧୀ ନେତାଙ୍କ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଥିବା ରାଘବ କହିଥିବାବେଳେ ଏହା ସାରା ଦେଶ ପାଇଁ ବିପଦ ବୋଲି ସେ କହିଛନ୍ତି| ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି | ରାହୁଲ କହିଛନ୍ତି ଯେ, ଆଦାନୀ ପ୍ରସଙ୍ଗରେ ଆମେ ସରକାରଙ୍କୁ ଏପରି ଘେରିଛୁ ଯେ ସରକାର ବର୍ତ୍ତମାନ ଗୁପ୍ତଚରଙ୍କ ଭଳି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ, ଆପଣ ଯେତେ ବି ଫୋନ ଟ୍ୟାପିଂ କରିବା କଥା କରନ୍ତୁ କିନ୍ତୁ ଆମର ଲଢେଇ ବନ୍ଦ ହେବ ନାହିଁ | ଆବଶ୍ୟକ ହେଲେ ଆପଣ ମୋ ଫୋନ ବି ନେଇଯାଆନ୍ତୁ ବୋଲି ରାହୁଲ କହିଛନ୍ତି |

ସେପଟେ ଏସବୁ ବିବାଦ ପରେ ଆପଲ ଏଭଳି କୌଣସି ନୋଟିଫିକେସନ୍‌ ଜାରି କରିନଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିସହ ଆମେ କୌଣସି ନିର୍ଦ୍ଧିଷ୍ଟ ସରକାରୀ ପ୍ରାୟୋଜିତ ହ୍ୟାକର୍‌ ବିଷୟରେ କହିପାରିବୁ ନାହିଁ। ଏହା ମିଥ୍ୟା ଚେତାବନୀ ମଧ୍ୟ ହୋଇପାରେ। ଏହା ଉପରେ ଅଧିକ ତଦନ୍ତ କରିବା ଅର୍ଥ ହ୍ୟାକର୍‌ମାନଙ୍କୁ ପରୋକ୍ଷରେ ସହଯୋଗ କରିବା ସହ ସମାନ ବୋଲି କମ୍ପାନୀ କହିଛି।

ସେପଟେ ଏନେଇ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜି କିଛି ଲୋକେ ଆପଲ୍‌ରୁ ଆଲର୍ଟ ମେସେଜ ପାଇଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ଏହା ପଛର ମୁଖ୍ୟ କାରଣ କ’ଣ ରହିଛି ତାର ତଦନ୍ତ କରାଯିବ। ଆପଲକୁ ମଧ୍ୟ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ୧୫୦ଟି ଦେଶକୁ ଏଭଳି ଆଲର୍ଟ ମେସେଜ ଯାଇଛି। ଏହା କୌଣସି ପରୀକ୍ଷାମୂଳକ ସତର୍କ ସୂଚନା ହୋଇଥାଇପାରେ ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଉଥିବା ବିକାଶରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ବିରୋଧୀ ଏଭଳି ମିଥ୍ୟା ଅଭିଯୋଗର ଭେଳିକି ଦେଖାଉଥିବା ଅଶ୍ବିନୀ କହିଛନ୍ତି।

Related Posts