ତେଲେଙ୍ଗାନା ବିଧାନସଭା; ଓଓ୍ବେସୀଙ୍କ ଭାଇ କାମଚଳା ବାଚସ୍ପତି ହେବାରୁ ଶପଥ ନେଲେନି ବିଜେପି ବିଧାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲଙ୍ଗାନା ବିଧାନସଭାରେ ଶନିବାର ମନ୍ତ୍ରୀ ଓ ବିଧାୟକ ଶପଥ ନେଇଛନ୍ତି । ଅସଦଉଦ୍ଦିନ୍ ଓଓ୍ବେସୀଙ୍କ ଭାଇ ଅକ୍ବରଉଦ୍ଦିନ୍ ଓଓ୍ବେସୀ ପ୍ରୋଟେମ୍ ସ୍ପିକର (କାମଚଳା ବାଚସ୍ପତି) ଭାବେ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ମାତ୍ର ଏହି ଶପଥ ଗ୍ରହଣ ଉତ୍ସବକୁ ବହିଷ୍କାର କରିଛି ଭାରତୀୟ ଜନତା ପାର୍ଟି ।

ତେଲଙ୍ଗାନା ବିଜେପି ବିଧାୟକମାନେ ଶପଥ ଗ୍ରହଣ ଉତ୍ସବ ଭାଗ ନେଇନଥିଲେ । ବିଧାନସଭାରେ ଅନ୍ୟ ବରିଷ୍ଠ ବିଧାୟକ ଥିଲେ ମଧ୍ୟ ରାଜନୈତିକ ଫାଇଦା ପାଇଁ ଏଆଇଏମଆଇଏମ ବିଧାୟକ ଅକ୍ବରଉଦ୍ଦିନ୍ ଓଓ୍ବେସୀଙ୍କୁ ଅନ୍ତରୀଣ ବାଚସ୍ପତି ଭାବେ ଚୟନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ଏହା ନିୟମ ଓ ପରମ୍ପରା ବିରୋଧୀ ଅଟେ । ନିୟମିତ ବାଚସ୍ପତି ଶପଥ ନେବା ପରେ ବିଜେପି ବିଧାୟକ ଶପଥ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ କହିଛନ୍ତି, ବିଜେପି ପାର୍ଟି ଏଆଇଏମଆଇଏମ ଭଳି ଦଳକୁ କେବେବି ସାଥ୍ ଦେବ ନାହିଁ । କଂଗ୍ରେସ ଦଳ ଅକ୍ବରଉଦ୍ଦିନ୍ ଓଓ୍ବେସୀ ପ୍ରୋଟେମ୍ ସ୍ପିକର ଚୟନ କରିଛି, କାରଣ ଏଆଇଏମଆଇଏମ ପାର୍ଟି ସହିତ ସେମାନଙ୍କର ମେଣ୍ଟ ରହିଛି । ଅକ୍ବରଉଦ୍ଦିନ୍ ଓଓ୍ବେସୀ କାର୍ଯ୍ୟକାଳରେ ବିଧାନସଭା ବାଚସ୍ପତି ଚୟନ ନକରାଯାଉ ବୋଲି ଦାବି ରଖିଛନ୍ତି ଜି. କିଶାନ ରେଡ୍ଡୀ । ଏହାଛଡ଼ା ତେଲଙ୍ଗାନାରେ ବିଜେପିର ଜନାଦେଶକୁ ମଧ୍ୟ ମନେ ପକାଇଦେଇଛନ୍ତି । ରାଜ୍ୟରେ ୮ଟି ଆସନରେ ବିଜେପି ବିଜୟ ଲାଭ କରିଛି । ୧୪ ପ୍ରତିଶତ ଭୋଟ୍ ଦଳକୁ ମିଳିଛି । ତେଲଙ୍ଗାନା ଭଳି ରାଜ୍ୟରେ ଏହା ଆଶ୍ଚର୍ଯ୍ୟଜନ ବୋଲି ସେ କହିଛନ୍ତି ।

Related Posts