ସୋନିଆ ଗାନ୍ଧୀଙ୍କ ବୈଠକରେ ପାୱାର କହିଲେ ,’ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ ଥିବା ଦଳ ଗୁଡ଼ିକ ଏକତ୍ରିତ ହେବା ଉଚିତ ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମିଶନ ୨୦୨୪ ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଶୁକ୍ରବାର ଦିନ ସେ ୧୯ଟି ବିରୋଧୀ ଦଳର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଯୋଗେ ଏକ ବୈଠକ କରିବା ସହ ସମସ୍ତଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଏନସିପି ସଭାପତି ଶରଦ ପାୱାର ମଧ୍ୟ ବିରୋଧୀ ଦଳ ଗୁଡ଼ିକର ଏକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାୱାର ଚାଷୀ ଆନ୍ଦୋଳନକୁ ଦେଶ ପାଇଁ ଏକ ଯନ୍ତ୍ରଣାଦାୟକ ଘଟଣା ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଦେଶ ଅର୍ଥନୈତିକ ମନ୍ଥରତା, କୋଭିଡ ମହାମାରୀ, ବେକାରୀ, ସୀମା ବିବାଦ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପାୱାର କହିଛନ୍ତି ଯେ ଯେଉଁମାନେ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି ସେମାନେ ଏକତ୍ରିତ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପାୱାର କହିଛନ୍ତି ଯେ ବର୍ତ୍ତମାନର ସରକାର ଏହି ସବୁ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଯେଉଁମାନେ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି; ଯେଉଁମାନେ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଏକାଠି କାମ କରିବାକୁ ଚାହାଁନ୍ତି, ସେମାନେ ଏକାଠି ହେବା ଉଚିତ୍, ବୋଲି ପାୱାର କହିଛନ୍ତି।

ସୋନିଆଙ୍କ ଏହି ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଜେଏମ୍ଏମ୍ ରୁ ହେମନ୍ତ ସୋରେନ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ଆରଜେଡିର ତେଜସ୍ୱୀ ଯାଦବ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ, ଆରଏସ୍‌ପି, ଏନସି ଓ ବାମପନ୍ଥୀ ଦଳର ନେତାମାନେ ଯୋଗ ଦେଇଥିଲେ। ତେବେ ବିଏସ୍‌ପି, ସମାଜବାଦୀ ପାର୍ଟି ଓ ଆପ୍‌ର କୌଣସି ନେତା ସୋନିଆଙ୍କ ବୈଠକରେ ଯୋଗଦେଇ ନଥିଲେ।

Related Posts