(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀମାନଙ୍କର ବର୍ତ୍ତମାନ ଚାଲିଛି ମଉଜମସ୍ତି । ସାରା ବିଶ୍ୱ ତାଲିବାନର ବର୍ବରତା ଦେଖୁଥିବା ବେଳେ ତାଲିବାନୀମାନେ ତାଙ୍କ ବିଜୟ ମୁହୂର୍ତ୍ତକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କେଉଁଠି ତାଲିବାନୀମାନେ ଖେଳନା ଜାର ଚଳାଉଛନ୍ତି ତ ଆଉ କେଉଁଠି ଜିମର ମଜା ନେଉଛନ୍ତି । କେବଳ ଏତିକି ନୁହେଁ ବରଂ ପାର୍କରେ ଛୋଟ ପିଲା ଭଳି ମସ୍ତି କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଏ ଦୋଳିରେ ଝୁଲୁଛି ତ ଆଉ କିଏ ପାର୍କରେ ଘୋଡା ଚଢୁଛି । ଏହା ସହ ତାଲିବାନ ରାଷ୍ଟ୍ରପତି ଭବନକୁ ମଧ୍ୟ କବଜା କରିଛି । ଏବଂ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଅପରିପକ୍ଷେ ତାଲିବାନର କୃରତା ଦେଖି ଆଫାଗାନିସ୍ତାନ ବାସୀ ଦେଶ ଛାଡି ପଳାଇବାରେ ଲାଗିଛନ୍ତି ।
କେତେବେଳେ ବିମାନର ଟାୟାରରୁ ଝୁଲି ପ୍ରାଣ ଚାଲିଯାଉଛି, ତ ଆଉ କେତେବେଳେ ବିମାନବନ୍ଦରରେ ଦଳାଚକଟାରେ ପ୍ରାଣ ହରାଉଛନ୍ତି। ତାଙ୍କ ମନରେ ଗୋଟିଏ ହିଁ ଭୟ ତାଲିବାନୀ ଶାସନର ! ଯଦି ତାଲିବାନୀ ତାଙ୍କୁ ଶାସନ କରନ୍ତି ତାହାଲେ ତାଙ୍କ ପାଖରୁ ତାଙ୍କର ସ୍ୱାଧୀନତା ରହିବ ନାହିଁ । ତାଲିବାନୀ ଯାହା ଚାହିଁବେ ତାହା ତାଙ୍କୁ କରିବା ପାଇଁ ପଡିବ । ତେବେ ସେମାନେ ଏସବୁକୁ ଦୃଷ୍ଟିରେ ରଖି ଜୀବନକୁ ବାଜି ଲଗାଇ ନିଜ ଦେଶ ଛାଡି ଚାଲିଯିବାକୁ ଉଦ୍ୟମ ଚଲାଇଛନ୍ତି । ଏପରିକି ୧୩୦ ସିଟ କ୍ଷମତା ଥିବା ଏକ ବିମାନରେ ପ୍ରାୟ ୬୦୦ରୁ ଅଧିକ ଲୋକ ବସିଥିବାର ଚିତ୍ର ସାମ୍ନାକୂ ଆସିଥିଲା । ପରିସ୍ଥିତି ଏପରି ଯେ ପାଦ ରଖିବାକୁ ମଧ୍ୟ ଲୋକମାନଙ୍କୁ ଯାଗା ମିଳୁନଥିଲା । ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କାବୁଲରୁ କତାର ଯାଇଥିବା ଏକ ଆମେରିକୀୟ କାର୍ଗୋ ବିମାନ ଭିତରେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯିଏ ଯେମିତି ପାରୁଛି ସେହି ଉପାୟରେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛି। ତାଲିବାନଙ୍କ କବଳରୁ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି ଲୋକେ। ଏଥିପାଇଁ କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ ଜମୁଛି। ତାଲିବାନ ଦେଶର ବିଭିନ୍ନ ସୀମାକୁ କବ୍ଜା କରିନେଇଛି। ଏଭଳି ପରିସ୍ଥିତିରେ ଦେଶ ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ଏମକାତ୍ର ରାସ୍ତା ହେଉଛି ଆକାଶ ମାର୍ଗ। ତେଣୁ ଲୋକମାନେ ଯେମିତି ପାରୁଛନ୍ତି ସେହି ଉପାୟରେ ଦେଶ ଛାଡି ଚାଲିଯାଉଛନ୍ତି ।
ଏପରିକି କିଛି ଲୋକେ ବିମାନ ଚକାରେ ଝୁଲି ରହି ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଡଉନ୍ତା ବିମାନରୁ ତଳେ ଖସିପଡି ସେମାନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଲିବାନୀ ନେତାମାନେ ଆଫଗାନିସ୍ତାନର ୧୫ ରୁ ୪୫ ବର୍ଷ ବର୍ଗର ମହିଳାଙ୍କ ତାଲିକା ମାଗିଛନ୍ତି । ଯଦି ଏହି ମହିଳାମାନଙ୍କୁ ତାଲିବାନୀ ଆତଙ୍କୀ ବିବାହ କରାଯାଏ ତେବେ ସେମାନଙ୍କୁ ପାକିସ୍ତାନର ୱଜିରସ୍ତାନ ନିଆଯାଇ ଇସ୍ଲାମୀ ତାଲିମ ଦିଆଯିବ । ପରେ ଏହି ମହିଳାମାନଙ୍କୁ ପୁଣି ଥରେ ଯୌନ ଦାସୀ କରି ରଖାଯିବ । ମ୍ୟାକଗିଲ ୟୁନିଭରସିଟି ଟୋରଣ୍ଟୋର ବିଧି ଏବଂ ମାନବାଧିକାରର ଆସୋସିଏଟ୍ ପ୍ରଫେସର ବୃନ୍ଦା ନାରାୟଣଙ୍କ କହିବା ଅନୁଯାୟୀ, କାବୁଲ ପହଞ୍ଚିବା ପୂର୍ବରୁ ତାଲିବାନୀ ନେତାଙ୍କ ଏହି ଆଦେଶ ଆଗକୁ ମହିଳାଙ୍କ ଉପରେ ନିର୍ଯ୍ୟାତନା ହେବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହାଦ୍ଵାରା ଆଫଗାନିସ୍ତାନରେ ପ୍ରତ୍ୟେକ ପରିବାରରେ ଆତଙ୍କ ସୃଷ୍ଟି ହୋଇଛି । ଏହି କାରଣ ପାଇଁ ଗତ ୩ ମାସ ମଧ୍ୟରେ ପ୍ରାୟ ୯ ଲକ୍ଷ ପରିବାର ବିସ୍ଥାପିତ ହୋଇଛନ୍ତି । ଘରର ଝିଅ-ବୋହୂଙ୍କୁ ନେଇ ପରିବାର ଲୋକ ଦେଶ ଛାଡି ପଳାୟନ କରୁଛନ୍ତି ।