(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଭୟର ବାତାବରଣ ଖେଳିଯାଇଛି। ଭୟ କାରଣରୁ ଅନେକ ଲୋକ ସାମଗ୍ରୀ ନ ନେଇ ଦେଶ ଛାଡି ପଳାଉଛନ୍ତି । ଏହା ସହ ଅନେକ ଲୋକ ଘରେ ଲୁଚି ରହିଛନ୍ତି । ଯାହାଫଳରେ ଦେଶରେ କାର୍ଯ୍ୟ ବନ୍ଦ ହୋଇଯାଇଛି । ଏଭଳି ପରିସ୍ଥିତିରେ ତାଲିବାନ ପାଇଁ ଏବେ ଅସୁବିଧା ମଧ୍ୟ ଦେଖାଦେଇଛି। ସେଥିପାଇଁ ବର୍ତ୍ତମାନ ତାଲିବାନ ଅଧିକାରୀମାନେ ସରକାରୀ କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ନିବେଦନ କରୁଛନ୍ତି। କେବଳ ଏତିକି ନୁହେଁ ସେ ମହିଳାମାନଙ୍କୁ ସରକାରଙ୍କ ଏକ ଅଂଶ ହେବାକୁ ମଧ୍ୟ କହିଛନ୍ତି। ଏନେଇ ତାଲିବାନ ଅଧିକାରୀ କହିଛନ୍ତି ଆମେ ମହିଳାଙ୍କୁ ଶୋଷଣ କରିବାକୁ ଚାହୁଁ ନାହୁଁ ବରଂ ସରକାରରେ ରହିବାକୁ ନିବେଦନ କରୁଛୁ। ଏହା ସହ ଦେଶର ଯୁବକମାନେ ମଧ୍ୟ ଆଗକୁ ଆସିବା ଉଚିତ ।
ଆମେ ସେମାନଙ୍କୁ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବୁ। ଏପରିକି ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଅପରିପକ୍ଷେ ଜଣେ ଅଧିକାରୀ କହିଛନ୍ତି ଯେ କାବୁଲରେ ଏକ “ଅନ୍ତର୍ଭୂକ୍ତ” ସରକାର ଗଠନ ପାଇଁ ଆଲୋଚନା ଚାଲିଛି। ଏହି ଆଲୋଚନାରେ ଅବଦୁଲ୍ଲା ଅବଦୁଲ୍ଲା, ଏବଂ ପୂର୍ବତନ ରାଷ୍ଟ୍ରପତି ହମିଦ କରଞ୍ଜାଇ ଅନ୍ତର୍ଭୁକ୍ତ। ଏହା ସହ ଚାଲିଥିବା କଥାବାର୍ତ୍ତାର ଉଦ୍ଦେଶ୍ୟ ହେଉଛି ଅଣ ତାଲିବାନ ନେତାମାନଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରିବା। ଲୋକମାନଙ୍କ ପାଇଁ ସୁବିଧା କଲେ ମଧ୍ୟ ସେମାନେ ଘରୁ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ।
ଏନେଇ ଦିଲ୍ଲୀରେ ରହୁଥିବା ଜଣେ ଆଫଗାନିସ୍ତାନ ଯୁବକ କହିଛନ୍ତି ଯେ ଆଫଗାନିସ୍ତାନରେ ଯୁବକମାନଙ୍କ ଜୀବନ ସବୁବେଳେ ବିପଦରେ ଥାଏ । ବିଶେଷ କରି ଯୁବତୀମାନଙ୍କର । ତାଲିବାନ ଆତଙ୍କବାଦୀମାନେ ଘରେ ପଶି ଯୁବକ ଯୁବତୀଙ୍କୁ ଜବରଦସ୍ତି ନେଇଯାଆନ୍ତି। ଗତ କିଛି ବର୍ଷ ଧରି ଏହା ଘଟୁଥିଲା କିନ୍ତୁ ସରକାର ଚୁପ୍ ରହିଥିଲେ ।