ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ଟି. ରାଜାଙ୍କ ନିଲମ୍ବନ ବାତିଲ କରି ପୁଣି ଟିକେଟ୍‌ ଦେଲା ବିଜେପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇ ସରିଛି ତାରିଖ। ଆସନ୍ତା ନଭେମ୍ବର ୩୦ ତାରିଖରେ ପଡିବ ଭୋଟ। ତେବେ ଏହା ପୂର୍ବରୁ ଆଜି ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଧାୟକ ଟି. ରାଜା ସିଂହଙ୍କ ନିଲମ୍ବନ ବାତିଲ କରି ଦଳ ତାଙ୍କୁ ଟିକେଟ୍‌ ଦେଇଛି। ସେ ପୁଣି ଥରେ ଗୋଶମହଲ ଆସନରୁ ନିର୍ବାଚନ ଲଢ଼ିବେ।

ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଟି.ରାଜା ସିଂହ ଗିରଫ ହୋଇଥିଲେ। ଏହା ପରେ ୨୦୨୨ ଅଗଷ୍ଟ ମାସରେ ଦଳ ତାଙ୍କୁ ନିଲମ୍ବିତ କରିଥିଲା। ଏବେ ବିଧାନସଭା ନିର୍ବାଚନ ମଧ୍ୟରେ ବିଜେପି ଟି. ରାଜାଙ୍କ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏଥିସହ ଦଳ ତାଙ୍କୁ ପୁଣି ଥରେ ନିର୍ବାଚନୀ ମୌଦାନକୁ ମଧ୍ୟ ଓହ୍ଲାଇବାକୁ ସୁଯୋଗ ଦେଇଛି।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରଥମ ତାଲିକାରେ ୫୨ ଟି ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ୩ ସାଂସଦ ଏବଂ ୧୨ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। ତେରଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ ତଥା ରାଜ୍ୟର ଆଇଟି ମନ୍ତ୍ରୀ କେ.ଟି.ଆର.ଙ୍କ ବିପକ୍ଷରେ ଦଳ ସିରସିଲା ଆସନରୁ ରାଣୀ ରୁଦ୍ରମା ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଶାସକ ଦଳ ବିଆରଏସ ଛାଡି ବିଜେପିରେ ଯୋଗ ଦେଇଥିବା ଏଟେଲା ରାଜେନ୍ଦ୍ରଙ୍କୁ ହୁଜୁରାବାଦରୁ ଟିକେଟ ଦିଆଯାଇଛି। ବିଜେପିରେ ଯୋଗଦେବା ପୂର୍ବରୁ ସେ ଏହି ଆସନରୁ ବିଧାୟକ ଥିଲେ।

ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ। ଗତଥର ୨୦୧୮ରେ ବିଧାନସଭା ନିର୍ବାଚନରେ ବିଜେପି ତେଲେଙ୍ଗାନାର ୧୧୯ଟି ସିଟ୍ ମଧ୍ୟରୁ ୧୦୮ଟିରେ ନିଜ ପ୍ରାର୍ଥୀ ଦେଇଥିଲା। ଏଥିମଧ୍ୟରୁ ବିଜେପି କେବଳ ଗୋଟିଏ ଆସନ ଗୋଶମହଲ୍‌ରୁ ହିଁ ଜିତିଥିଲ।

Related Posts