ଉଠିଲା ନିଲମ୍ବନ, ମହାରାଷ୍ଟ୍ର ବିଧାନସଭାର ୧୨ ବିଧାୟକଙ୍କୁ ବର୍ଷେ ପାଇଁ ଗୃହରୁ ବହିଷ୍କାର ନିର୍ଦ୍ଦେଶ ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭାରେ ୧୨ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ଘଟଣାର ଆଜି ଅନ୍ତ ଘଟିଛି । ଏପରି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ଅସାମ୍ବିଧାନିକ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି । ସେପଟେ ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଅଧିବେଶନ ବାହାରେ ବିଧାୟକଙ୍କୁ ସ୍ଥଗିତ ରଖାଯାଇପାରିବ ନାହିଁ। ଏପରି କରିବା ପ୍ରଭାବହୀନ ଏବଂ ବିଧାନସଭାର କ୍ଷମତା ବାହାରେ ବୋଲି ବେଞ୍ଚ କହିଛନ୍ତି । ବିଧାନସଭାରେ ଅଧ୍ୟକ୍ଷଙ୍କ ସହ ଅସଦାଚରଣ ଅଭିଯୋଗରେ ବିଧାୟକମାନଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା । ତେବେ ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମାନୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖାଲକର, ପାରାଗ ଆଲାଭାନି, ହରିଶ ପିମ୍ପଲେ, ଯୋଗେଶ ସାଗର, ଜୟ କୁମାର ରାୱତ, ନାରାୟଣ କୁଚେ, ରାମ ସତ୍ୟପୁଟ ଏବଂ ବଣ୍ଟି ଭଙ୍ଗଡିଆଙ୍କୁ ନିଲମ୍ବିତ କରାଯାଇଥିଲା ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ନିଲମ୍ବିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ବିଜେପି ବିଧାୟକ ଗିରିଶ ମହାଜନ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତି ମହାରାଷ୍ଟ୍ର ସରକାରଙ୍କ ଉପରେ ଶକ୍ତ ଚାପୁଡ଼ା ସଦୃଶ୍ୟ ବୋଲି କହିଛନ୍ତି । ସେପଟେ ଏହି ନିଷ୍ପତ୍ତି ପରେ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts