ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୪ ବର୍ଷ ସରକାରରେ ରହି କ୍ଷମତାରୁ ଯିବାପରେ ଏବେ କାହିଁକି ବିଜେଡି ନିର୍ବାଚନ ହାରିଲା ତାକୁ ନେଇ ଦଳ ଭିତରେ ଥମୁନି ବୟାନବାଜି | ପାଣ୍ଡିଆନଙ୍କ ଯୋଗୁ ଗତ ନିର୍ବାଚନରେ ବିଜେଡି ହାରିଲା ବୋଲି ପୂର୍ବରୁ ଦଳର କେତେକ ନେତା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ କହିଥିଲେ। ସେପଟେ କିନ୍ତୁ ଦଳର ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ୱ ନବୀନ ପଟ୍ଟନାୟକ ନିଅନ୍ତୁ ବୋଲି ସିଧାସଳଖ କହିଥିଲେ | ସେତେବେଳେ ଅମର ଦଳ ଛାଡି ଚାଲିଯାଆନ୍ତୁ ବୋଲି ବିଜେଡି ତାଙ୍କୁ ସିଧାସଳଖ କହିଥିବା ବେଳେ ଆଜି ସମାନ କଥା ବୁଲେଇ ବଙ୍କେଇ କହିଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା | ସେ ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି।
ସୁଶାନ୍ତ କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି। ଦଳକୁ ସାଧାରଣତଃ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଟିକେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା। ଦଳର ସଭାପତି ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି କର୍ମୀ ଅସନ୍ତୁଷ୍ଟ ହୋଇଥିଲେ। ତେଣୁ ଏହା ମଧ୍ୟ ଦଳର ପରାଜୟର କାରଣ। ସେହିପରି ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି ବୋଲି ସୁଶାନ୍ତ କହିଛନ୍ତି।
ସେ ଆହୁରି କହିଛନ୍ତି, ବିଜେଡିରେ ଏବେ ଆଉ ଅନ୍ତଃକନ୍ଦଳ ନାହିଁ। ବିଜେଡି ସଂଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ। ଦଳ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍ ଜିତି ପୁଣି ସରକାର କରିବ। ଜନସାଧାରଣ ମଧ୍ୟ ଜାଣି ସାରିଲେଣି ଯେ ବିଜେପି ସରକାର ମିଥ୍ୟାବାଦୀ ସରକାର। ବିଜେପି ସରକାର ଆଦୌ ସତ୍ୟ କଥା କୁହନ୍ତି ନାହିଁ। ବିଜେପି ଯାହା କହେ, ତାକୁ କାର୍ଯ୍ୟରେ ପରିଣତ କରେ ନାହିଁ ବୋଲି କହିଛନ୍ତି ସୁଶାନ୍ତ।
ହେଲେ ଗତ ନିର୍ବାଚନରେ ଦଳର ପରାଜୟ ପାଇଁ ବୁଲେଇ ବଙ୍କେଇ ନବୀନଙ୍କୁ ସେ ଦାୟୀ କରିଛନ୍ତି | ପୂର୍ବରୁ ଅମର ଶତପଥୀ ନବୀନଙ୍କୁ ଦାୟୀ କରିଥିବା ବେଳେ ମୁଖପାତ୍ର ଲଗାଇ ତାଙ୍କୁ ଦଳ ଛାଡି ଚାଲିଯିବାକୁ କହିଥିଲା ବିଜେଡି | ଏବେ ସୁଶାନ୍ତଙ୍କ ଏହି ବୟାନକୁ ନେଇ ଦଳ କଣ ପ୍ରତିକ୍ରୀୟା ରଖୁଛି ତାହା ଦେଖିବାକୁ ବାକି ରହିଲା |